ପୁରୀ: ଜୁଲାଇ ୧୬ରେ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏନେଇ ପୁରୀ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚାଲିଥିବା ବେଳେ ସମସ୍ତ ବିଭାଗ ମଧ୍ୟ ସଜାଗ ରହିଛି। ଏନେଇ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ରଥଯାତ୍ରା ପ୍ରଥମ ସମନ୍ୱୟ ସମିତି ବୈଠକ ଅନୁଷ୍ଠିତ ହେବ। ପୁରୀ ଟାଉନ୍ ହଲଠାରେ ଆୟୋଜିତ ହେବାକୁ ଥିବା ଏହି ବୈଠକରେ କେନ୍ଦ୍ରାଞ୍ଚଳ ଆର୍ଡିସି ଅଧ୍ୟକ୍ଷତା କରିବେ।
ବିଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଦ୍ୱିଗୁଣା ଭକ୍ତଙ୍କ ସମାଗମ ହେବ ବୋଲି ଆକଳନ କରିଛି ପ୍ରଶାସନ। ଏହି ବୈଠକର ଫୋକସ୍ ହେଉଛି ଆଗାମୀ ରଥଯାତ୍ରାର ସୁପରିଚାଳନା। ଏହି ବୈଠକରେ ମହାପ୍ରଭୁଙ୍କ ନୀତିକାନ୍ତି ଶୃଙ୍ଖଳିତ ଠାରୁ ଆରମ୍ଭ କରି ରଥକାଠ ସଂଗ୍ରହ, ରଥ ନିର୍ମାଣ, ରଥଖଳା ପରିଷ୍କାର, ରଥଯାତ୍ରା ନିମନ୍ତେ ବିଭିନ୍ନ ସାମଗ୍ରୀ ସଂଗ୍ରହ ଓ ଯୋଗାଣ, ରଥ କପଡା ସଂଗ୍ରହ, ନୀତି ସଂପାଦନ, ରଥଟଣା, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ, ପରିବହନ ବ୍ୟବସ୍ଥା, ରାସ୍ତାଘାଟ ମରାମତି ଓ ଉନ୍ନତୀକରଣ, ପାର୍କିଂ ସ୍ଥଳ, ଶାନ୍ତି ଶୃଙ୍ଖଳା ରକ୍ଷା, ସୂଚନା ଓ ପ୍ରସାରଣ ବ୍ୟବସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ, ପଲ୍ଲିଶ୍ରୀ ମେଳା ଓ ପ୍ରଦର୍ଶନୀ ଆୟୋଜନ, ସ୍ୱେଚ୍ଛାସେବୀ ନିୟୋଜନ ଇତ୍ୟାଦି ସମ୍ବନ୍ଧରେ ବିସ୍ତୃତ ଆଲୋଚନା ହେବ। ବୈଠକରେ ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ସେବାୟତ, ପରିଚାଳନା କମିଟି ସଦସ୍ୟ, ବୁଦ୍ଧିଜୀବୀ ଓ ସାମ୍ବାଦିକ ଭାଗ ନେବେ।