କାମାକ୍ଷାନଗର ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ବଡ଼ସୁଆଁଳ ନିକଟରେ ଗୁରୁବାର ଏକ ଭୟଙ୍କର ଅଘଟଣ ଘଟିବାରୁ ଅଳ୍ପକେ ରକ୍ଷା ପାଇଛନ୍ତି ଟ୍ରକ ଡ୍ରାଇଭର। ରାସ୍ତାରେ ଚାଲୁଥିବା ବେଳେ ହଠାତ୍ ଦଶଚକିଆ ଟ୍ରକର ପଛ ଚକାରୁ ଧୂଆଁ ବାହାରିବା ସହ କିଛି ମୁହୂର୍ତ୍ତ ମଧ୍ୟରେ ଲାଗିଯାଇଥିଲା ନିଆଁ। ଦେଖୁ ଦେଖୁ ଟ୍ରକର ପଛ ଭାଗ ଅଗ୍ନିକୁଣ୍ଡରେ ପରିଣତ ହୋଇଯାଇଥିଲା।
ସୂଚନା ଅନୁସାରେ, ଟ୍ରକଟି ଯାଜପୁର ଅଞ୍ଚଳରୁ କୋଇଲା ଖାଲି କରି ତାଳଚେର ଅଭିମୁଖେ ଯାଉଥିଲା। ବଡ଼ସୁଆଁଳ ନିକଟରେ ପହଞ୍ଚିବା ବେଳେ ହଠାତ୍ ପଛ ଚକାରେ ନିଆଁ ଲାଗିଥିଲା। ଘଟଣାକୁ ଅନୁଭବ କରି ଡ୍ରାଇଭର ତୁରନ୍ତ ସଚେତନତା ଦେଖାଇ ଟ୍ରକକୁ ରାସ୍ତା ମଝିରେ ଅଟକାଇ ଗାଡ଼ିରୁ ବାହାରି ଆସିଥିଲେ। ପରେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା।
ଖବର ପାଇ କାମାକ୍ଷାନଗର ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଧରି ଚାଲିଥିବା ଅପରେସନ ପରେ ନିଆଁକୁ ଆୟତ୍ତ କରିଥିଲେ। ଫଳରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ତେବେ କେଉଁ କାରଣରୁ ଟ୍ରକରେ ନିଆଁ ଲାଗିଲା, ସେନେଇ ସ୍ପଷ୍ଟ ହୋଇନଥିବା ବେଳେ ଅତ୍ୟଧିକ ଖରା ଓ ଚକାର ଘର୍ଷଣ ଯୋଗୁଁ ଏହି ଅଘଟଣ ଘଟିଥିବା ଅନୁମାନ କରାଯାଉଛି।