ଭୁବନେଶ୍ୱର: ଓଡ଼ିଶା ଉପକୂଳରେ 'TARA'(ତାରା)ର ସଫଳ ଉଡ଼ାଣ ପରୀକ୍ଷଣ ହୋଇଯାଇଛି । ଡିଆରଡିଓ ଏବଂ ବାୟୁସେନାର ମିଳିତ ପ୍ରୟାସରେ 'TARA'ର ପରୀକ୍ଷଣ କରାଯାଇଛି ।
ପ୍ରତିରକ୍ଷା ମନ୍ତ୍ରାଳୟର ସୂଚନା ମୁତାବକ, ଗତକାଲି 'TARA'ର ସଫଳ ପରୀକ୍ଷଣ କରାଯାଇଛି । ପୁରା ନାମ ହେଉଛି ‘ଟାକ୍ଟିକାଲ୍ ଆଡଭାନ୍ସଡ୍ ରେଞ୍ଜ ଅଗମେଣ୍ଟେସନ୍’ । ଏହା ଦେଶର ପ୍ରଥମ ସ୍ୱଦେଶୀ ଗ୍ଲାଇଡ୍ ଅସ୍ତ୍ର ପ୍ରଣାଳୀ । ଯାହା ସ୍ୱଳ୍ପ ମୂଲ୍ୟର ସିଷ୍ଟମ ବ୍ୟବହାର କରୁଥିବା ପ୍ରଥମ ଗ୍ଲାଇଡ୍ ଅସ୍ତ୍ର । ଏହା ଅଣଗାଇଡେଡ୍ ୱାରହେଡ୍କୁ ସଠିକ୍ ମାର୍ଗଦର୍ଶିତ ଅସ୍ତ୍ରରେ ପରିଣତ କରିଥାଏ । 'TARA' ଭୂମି ଆଧାରିତ ଲକ୍ଷ୍ୟକୁ ଅତି ସହଜରେ ଟାର୍ଗେଟ କରିପାରିବ ।
ଡିଆରଡିଓ ସହିତ ମିଳିତ ସହଯୋଗରେ ରିସର୍ଚ୍ଚ ସେଣ୍ଟର୍ ଇମାରତ୍ (ଆରସିଆଇ) ହ୍ରାଇଦ୍ରାବାଦ ଦ୍ୱାରା 'TARA'କୁ ଡିଜାଇନ୍ ଓ ପ୍ରସ୍ତୁତ କରାଯାଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏଥିପାଇଁ ଡିଆଡିଓ, ଭାରତୀୟ ବାୟୁସେନା ଏବଂ ସମସ୍ତ ସହଯୋଗୀ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ।
'TARA'ର ପ୍ରମୁଖ ଲାଭ ହେଉଛି ଏହାର ଷ୍ଟାଣ୍ଡ-ଅଫ୍ କ୍ଷମତା, ଯାହା ପାଇଲଟମାନଙ୍କୁ ବାୟୁ ପ୍ରତିରକ୍ଷା ସୀମାର ବାହାରରୁ ବୋମା ଛାଡିବାକୁ ଅନୁମତି ଦିଏ। ଥରେ ନିୟୋଜିତ ହେବା ପରେ, ବୋମାଗୁଡ଼ିକ ଉଚ୍ଚ ସବସୋନିକ୍ ଗତିରେ ଗ୍ଲାଇଡ୍ ହୁଏ, ଯାହା ଦ୍ଵାରା ଏହାକୁ ବାଧା ଦେବା କଷ୍ଟକର ହୋଇପଡ଼େ। ସପ୍ତାହର ପ୍ରାରମ୍ଭରେ ଇସ୍ରାଏଲର ଏଲବିଟ୍ ସିଷ୍ଟମ୍ସ ଏହାର REST (ରେଞ୍ଜ ଏକ୍ସଟେନସନ୍ ଏବଂ ସ୍ମାର୍ଟ ଟେଲ୍) କିଟ୍ ପ୍ରଦର୍ଶନ କରିଥିଲା । ଯାହା ୧୨୦ କିଲୋମିଟର ପର୍ଯ୍ୟନ୍ତ ରେଞ୍ଜ ସହିତ ୱାରହେଡ୍ଗୁଡ଼ିକୁ ସଠିକ୍ ଷ୍ଟ୍ରାଇକ୍ ଅସ୍ତ୍ରରେ ପରିଣତ କରେ ।