ଓଡ଼ିଶାର କିଛି ଜିଲ୍ଲାରେ ପେଟ୍ରୋଲ ପମ୍ପ ଆଗରେ ଲମ୍ବା ଲାଇନ୍ ଓ ଇନ୍ଧନ ଅଭାବ ଖବରକୁ ଲୋକଙ୍କ ଚିନ୍ତା ବଢ଼ିଥିବା ବେଳେ ବଡ଼ ସ୍ପଷ୍ଟୀକରଣ ଦେଇଛନ୍ତି ତୈଳ ବିପଣନ କମ୍ପାନୀ (OMCs)। କମ୍ପାନୀମାନେ ସ୍ପଷ୍ଟ କରିଛନ୍ତି ଯେ ରାଜ୍ୟରେ ପେଟ୍ରୋଲ କିମ୍ବା ଡିଜେଲର କୌଣସି ଅଭାବ ନାହିଁ ଏବଂ ପରିସ୍ଥିତି ପୂରାପୂରି ନିୟନ୍ତ୍ରଣରେ ରହିଛି।
ମେ’ ମାସ ଆରମ୍ଭରେ ଓଡ଼ିଶା ସୀମାନ୍ତ ଅଞ୍ଚଳର କିଛି ଜିଲ୍ଲାରେ ହଠାତ୍ ପେଟ୍ରୋଲ ଓ ଡିଜେଲ ଚାହିଦା ବଢ଼ିଯାଇଥିଲା। ଏହାର ପ୍ରଭାବରେ କିଛି ପେଟ୍ରୋଲ ପମ୍ପରେ ସ୍ୱଳ୍ପ ସମୟ ପାଇଁ ଇନ୍ଧନ ଅଭାବ ଦେଖାଦେଇଥିଲା। ଫଳରେ ଗାଡ଼ିଚାଳକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇ ଅନେକ ସ୍ଥାନରେ ଲମ୍ବା ଲାଇନ୍ ଲାଗିଥିଲା।
ପରିସ୍ଥିତିକୁ ସାମ୍ନା କରିବାକୁ OMCs ତୁରନ୍ତ ଅତିରିକ୍ତ ଟ୍ୟାଙ୍କର ମୁତୟନ କରିଥିଲେ। ପ୍ରଭାବିତ ପେଟ୍ରୋଲ ପମ୍ପଗୁଡ଼ିକୁ ଦ୍ରୁତ ଗତିରେ ଇନ୍ଧନ ପହଞ୍ଚାଇବା ସହିତ ଷ୍ଟକ ଉପରେ ନିରନ୍ତର ନଜର ରଖାଯାଇଥିଲା। କମ୍ପାନୀମାନେ କହିଛନ୍ତି, ବର୍ତ୍ତମାନ ସମସ୍ତ ପେଟ୍ରୋଲ ପମ୍ପରେ ସାଧାରଣ ଭାବେ ପେଟ୍ରୋଲ ଓ ଡିଜେଲ ଉପଲବ୍ଧ ଅଛି।
ଏହି ସମୟରେ ଶିଳ୍ପ ସଂସ୍ଥାମାନଙ୍କୁ ଖୁଚୁରା ପେଟ୍ରୋଲ ପମ୍ପରୁ ଇନ୍ଧନ କିଣିବା ବଦଳରେ ସିଧାସଳଖ ତୈଳ କମ୍ପାନୀଙ୍କୁ ଯୋଗାଯୋଗ କରିବାକୁ OMCs ପରାମର୍ଶ ଦେଇଛନ୍ତି। କାରଣ ଖୁଚୁରା ପମ୍ପଗୁଡ଼ିକ bulk fuel sale ପାଇଁ ଅନୁମୋଦିତ ନୁହେଁ।
ସେହିପରି ଲୋକମାନଙ୍କୁ ଅନାବଶ୍ୟକ ଭୟଭୀତ ହୋଇ ନ କିଣିବାକୁ ଅନୁରୋଧ କରିଛନ୍ତି ତୈଳ କମ୍ପାନୀ। ଅତ୍ୟଧିକ ମାତ୍ରାରେ ଇନ୍ଧନ ସଂଗ୍ରହ କଲେ କୃତ୍ରିମ ସଂକଟ ସୃଷ୍ଟି ହୋଇପାରେ ବୋଲି ସତର୍କ କରାଯାଇଛି। ନବରଙ୍ଗପୁର ସହ କିଛି ଜିଲ୍ଲାରେ ଇନ୍ଧନ ଅଭାବ ନେଇ ଖବର ପ୍ରକାଶ ପରେ OMCs ପକ୍ଷରୁ ଏହି ସ୍ପଷ୍ଟୀକରଣ ଆସିଛି।