କୋଲକାତା: ପଶ୍ଚିମବଙ୍ଗର ମଙ୍ଗ କିଏ ଧରିବ ଏବେ ସାରା ଦେଶର ନଜର ରହିଛି । ଆଜି ବିଜେପିର ବିଧାୟକ ଦଳ ବୈଠକ ବସିବ । ବୈଠକରେ ବିଧାୟକ ଦଳ ନେତାଙ୍କ ନାମ ଘୋଷଣା କରାଯିବ ଯିଏ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ । ଏଥିପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ସହ ପର୍ଯ୍ୟବେକ୍ଷକ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କୋଲକାତାରେ ପହଁଚିଛନ୍ତି । କେନ୍ଦ୍ର ମନ୍ତ୍ରୀ ଶାହ କୋଲକାତା ବିମାନ ବନ୍ଦରରେ ପହଁଚିବାରେ ତାଙ୍କୁ ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ସେହିପରି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ମଧ୍ୟ ସ୍ୱାଗତ କରାଯାଇଛି ।
ତେତେ ସ୍ଥାନୀୟ ଗଣମାଧ୍ୟମର ସୂଚନା ମୁତାବକ ପଶ୍ଚିମବଙ୍ଗରେ ଦୁଇ ଜଣ ମୁଖ୍ୟମନ୍ତ୍ରୀ ରହିପାରନ୍ତି । ଅର୍ଥାତ ଜଣେ ମୁଖ୍ୟମନ୍ତ୍ରୀ ଏବଂ ଜଣେ ଉପ-ମୁଖ୍ୟମନ୍ତ୍ରୀ । ଏହା ମଧ୍ୟରୁ ଜଣେ ମହିଳାଙ୍କୁ ସାମିଲ କରାଯାଇପାରେ । ଆଜି ସନ୍ଧ୍ୟାରେ ବିଜେପି ବିଧାୟକ ଦଳ ନେତା ଚୟନ ହେବା ପରେ ବିଧାୟକ ଦଳ ନେତା ସମସ୍ତ ନବ ନିର୍ବାଚିତ ବିଧାୟକମାନଙ୍କ ସହିତ ରାଜଭବନ ଗସ୍ତ କରି ରାଜ୍ୟପାଳଙ୍କୁ ସରକାର ଗଢ଼ିବାକୁ ଦାବି ପତ୍ର ପ୍ରଦାନ କରିବେ ।
ସେପଟେ ଶପଥ ସମାରୋହ ପାଇଁ ସଜେଇ ହେଉଛି ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡ । ଶପଥ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବହୁ କେନ୍ଦ୍ର ମନ୍ତ୍ରୀ ଏବଂ ଅନ୍ୟାନ୍ୟ ବିଜେପି ଶାସିତ ରାଜ୍ୟର ନେତୃବୃନ୍ଦମାନେ ଯୋଗ ଦେବାର ରହିଛି । ସେଥିପାଇଁ ସମ୍ପୂର୍ଣ୍ଣ ପଡ଼ିଆକୁ ଏସପିଜି ଯବାନଙ୍କ କଡ଼ା ସୁରକ୍ଷାରେ ରଖାଯାଇଛି ।