ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ବାଲିଅନ୍ତା ରାମଚନ୍ଦ୍ରପୁରଠାରେ ସୌମ୍ୟ ରଂଜନ ସ୍ପାଇଁଙ୍କୁ ପିଟିପିଟି ହତ୍ୟା ଘଟଣାରେ ରାସ୍ତା ଉପରେ ମୌଜପୁର ଗ୍ରାମବାସୀ। ନ୍ୟାୟ ଦାବି ନେଇ ରାସ୍ତା ରୋକ୍ କରିଛନ୍ତି। ଗାଁରେ ସୌମ୍ୟଙ୍କ ମୃତଦେହ ପହଞ୍ଚିବା ପରେ ଗ୍ରାମବାସୀ ମାନେ ରାସ୍ତାରୋକ କରିଛନ୍ତି। ଘଟଣାସ୍ଥଳରେ କଟକ ଗ୍ରାମାଞ୍ଚଳ ପୋଲିସର ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଅଛନ୍ତି। ସୌମ୍ୟଙ୍କ ହତ୍ୟାକୁ ପ୍ରତିବାଦ କରି ପରିବାର ଲୋକେ ଓ ସମ୍ପର୍କୀୟମାନେ ୬୦ ନମ୍ବର ରାଜ୍ୟ ରାଜପଥରେ ମୃତଦେହ ରଖି ଏହି ରାସ୍ତାରୋକ କରିଛନ୍ତି। ଫଳରେଫୁଲନଖରା-ନିଆଳି ମୁଖ୍ୟ ରାସ୍ତାରେ ଘଣ୍ଟାଧରି ଯାତାୟାତ ବାଧାପ୍ରାପ୍ତ ହୋଇଥିବା ବେଳେ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଛି।
“ସୌମ୍ୟଙ୍କୁ ନ୍ୟାୟ ଦିଅ”, “ଦୋଷୀଙ୍କୁ କଡ଼ା ଶାସ୍ତି ମିଳୁ” ଭଳି ନାରାରେ କମ୍ପିଥିଲା ପୂରା ଅଞ୍ଚଳ। ପରିବାର ଲୋକଙ୍କ ଅଭିଯୋଗ, ସୌମ୍ୟଙ୍କୁ ଲୋକମାନେ ମିଶି ଅତି ନୃଶଂସ ଭାବେ ପିଟିପିଟି ମାରିଦେଇଥିଲେ, କିନ୍ତୁ ଘଟଣାସ୍ଥଳରେ ପୁଲିସ ଥିଲେ ମଧ୍ୟ କେହି ତାଙ୍କୁ ବଞ୍ଚାଇବାକୁ ଆଗକୁ ଆସିନଥିଲେ। ଏହାକୁ ନେଇ ପୁଲିସର ଭୂମିକା ଉପରେ ମଧ୍ୟ ଗଭୀର ପ୍ରଶ୍ନ ଉଠିଛି।
ସୌମ୍ୟଙ୍କ ଭାଇ କହିଛନ୍ତି, “ଯଦି ସୌମ୍ୟ ଭୁଲ କରିଥିଲେ, ତେବେ ଆଇନ ଅନୁଯାୟୀ କାର୍ଯ୍ୟ ହେବା ଉଚିତ୍ ଥିଲା। କିନ୍ତୁ ସାଧାରଣ ଲୋକେ ତାଙ୍କୁ ଏମିତି ପିଟିପିଟି ମାରିଦେବା କେଉଁ ପ୍ରକାର ନ୍ୟାୟ?” ଅନ୍ୟପଟେ ସୌମ୍ୟଙ୍କ ବାପା ଘଟଣା ପଛରେ ଏକ ଷଡଯନ୍ତ୍ର ଥିବା ଅଭିଯୋଗ ଆଣିଛନ୍ତି। ତାଙ୍କ କହିବା ଅନୁସାରେ, ସୌମ୍ୟ କାମ କରୁଥିବା ଜିମ୍ର ମାଲିକ ୧୪ ମାସ ଧରି ତାଙ୍କ ଦରମା ଦେଇନଥିଲେ ଏବଂ ପୂର୍ବରୁ ଦୁଇପକ୍ଷ ମଧ୍ୟରେ ବିବାଦ ଲାଗି ରହିଥିଲା। “ମୋ ପୁଅକୁ ଯୋଜନାବଦ୍ଧ ଭାବେ ମାରାଯାଇଛି,” ବୋଲି ସେ ଅଭିଯୋଗ କରିଛନ୍ତି।
ଗତକାଲି ବାଲିଅନ୍ତା ଥାନା ଅଧୀନ ରାମଚନ୍ଦ୍ରପୁର କାଜ ନିକଟରେ ଏହି ଅମାନୁଷିକ ଘଟଣା ଘଟିଥିଲା। ୨ ଜଣ ଯୁବତୀଙ୍କ ସହ ଅସଦାଚରଣ ଅଭିଯୋଗକୁ କେନ୍ଦ୍ର କରି ଉତ୍ତେଜିତ ଲୋକେ ସୌମ୍ୟଙ୍କୁ ହାତଗୋଡ଼ ବାନ୍ଧି ପଶୁଭଳି ପିଟିଥିଲେ। ଏଥିରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।
ଘଟଣାର ଗୁରୁତ୍ୱକୁ ଦେଖି ଡିଜିପି ୱାଇ.ବି. ଖୁରାନିଆ ଓ ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂହ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ପରେ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସହ ଆଲୋଚନା କରିଥିଲେ। ପୁଲିସ ଏପର୍ଯ୍ୟନ୍ତ ୫ ଜଣଙ୍କୁ ଗିରଫ କରିଥିବା ବେଳେ CCTV ଫୁଟେଜ୍ ଆଧାରରେ ଅନ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଉଛି। ପୁଲିସ ସ୍ପଷ୍ଟ କରିଛି, “ଆଇନକୁ ନିଜ ହାତକୁ ନେଇଥିବା କାହାକୁ ମାଫ କରାଯିବ ନାହିଁ।”
ଅଧିକ ପଢନ୍ତୁ: “ମୋ ଡ୍ରେସ୍ ଚିରିଦେଲେ, ସାଙ୍ଗକୁ ନିର୍ମମ ଭାବେ ପିଟିଲେ”; ବାଲିଅନ୍ତା ବର୍ବରତାକୁ ନେଇ ମୁହଁ ଖୋଲିଲେ ପୀଡିତା