ଭୁବନେଶ୍ୱର: ବାଲିଅନ୍ତା ଘଟଣା ପରେ ରାଜ୍ୟରେ ଆଇନ ଶୃଙ୍ଖଳା ଓ ଗଣହିଂସାକୁ ନେଇ ଚର୍ଚ୍ଚା ତୀବ୍ର ହୋଇଛି। ଏହି ଘଟଣାକୁ ନେଇ ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିବା ବେଳେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଶୁକ୍ରବାର କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, କୌଣସି ପରିସ୍ଥିତିରେ ଆଇନକୁ ନିଜ ହାତକୁ ନେବା ଗ୍ରହଣଯୋଗ୍ୟ ନୁହେଁ ଏବଂ ସରକାର “ରାଜଧର୍ମ” ପାଳନ କରି କାର୍ଯ୍ୟ କରିବ।
ସାମ୍ବାଦିକମାନଙ୍କ ସହ କଥାହେବା ସମୟରେ ମନ୍ତ୍ରୀ କହିଥିଲେ, “ଆଇନକୁ ହାତକୁ ନେବା ଠିକ୍ ନୁହେଁ। ସରକାରରେ ଥିବା ଲୋକଙ୍କୁ ରାଜଧର୍ମ ପାଳନ କରିବାକୁ ପଡ଼ିବ। ଅପରାଧୀମାନେ ସମାଜରେ ମୁଣ୍ଡ ଉଠାଇ ଚାଲିବାକୁ ଦିଆଯିବ ନାହିଁ।”
ସେ କହିଛନ୍ତି ଯେ, ଅପରାଧ ରୋକିବା ପାଇଁ ଲୋକମାନଙ୍କ ମଧ୍ୟରେ ସଚେତନତା ଆବଶ୍ୟକ। ଏଭଳି ଘଟଣା ପୁଣି ଥରେ ନ ଦୋହରାଇବାକୁ ସମସ୍ତଙ୍କୁ ସତର୍କ ରହିବାକୁ ପଡ଼ିବ। ଅପରାଧୀମାନଙ୍କ ମନରେ ଆଇନର ଭୟ ରହିବା ଦରକାର ବୋଲି ମଧ୍ୟ ସେ କହିଛନ୍ତି।
ପୋଲିସ ବ୍ୟବସ୍ଥାକୁ ଆହୁରି ଶକ୍ତିଶାଳୀ କରିବା ଉପରେ ମଧ୍ୟ ମନ୍ତ୍ରୀ ଜୋର ଦେଇଛନ୍ତି। ସେ କହିଛନ୍ତି ଯେ, ଅନ୍ୟ ରାଜ୍ୟଙ୍କ ତୁଳନାରେ ଓଡ଼ିଶାରେ ପୋଲିସ କର୍ମଚାରୀଙ୍କ ସଂଖ୍ୟା କମ୍ ଅଛି। ତେଣୁ ଅପରାଧ ନିୟନ୍ତ୍ରଣ ପାଇଁ ପୋଲିସ ବଳ ବୃଦ୍ଧି ଆବଶ୍ୟକ।
ବାଲିଅନ୍ତା ଘଟଣାକୁ ନେଇ ବିରୋଧୀଙ୍କ ସମାଲୋଚନାକୁ ମଧ୍ୟ ସରକାର ସକାରାତ୍ମକ ଭାବେ ନେଇଥିବା ସେ କହିଛନ୍ତି। “ବିରୋଧୀଙ୍କର ସମାଲୋଚନା କରିବା ଅଧିକାର ଅଛି। ସେମାନେ ସେମାନଙ୍କ କାମ କରନ୍ତୁ, ସରକାର ମଧ୍ୟ ନିଜ ଦାୟିତ୍ୱ ପାଳନ କରିବ,” ବୋଲି ସୁରେଶ ପୂଜାରୀ କହିଛନ୍ତି।
ଅଧିକ ପଢନ୍ତୁ: “ମୋ ଡ୍ରେସ୍ ଚିରିଦେଲେ, ସାଙ୍ଗକୁ ନିର୍ମମ ଭାବେ ପିଟିଲେ”; ବାଲିଅନ୍ତା ବର୍ବରତାକୁ ନେଇ ମୁହଁ ଖୋଲିଲେ ପୀଡିତା