ସୁବର୍ଣ୍ଣପୁର ଜିଲ୍ଲା ତରଭା ପୋଲିସକୁ ମିଳିଛି ବଡ଼ ସଫଳତା। ପେଟ୍ରୋଲିଂ ସମୟରେ ପୋଲିସ ୧୦୬.୯୭୨ କିଲୋ ଗଞ୍ଜେଇ ଜବତ କରିବା ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି।
ସୂଚନା ଅନୁସାରେ, ଗୁପ୍ତ ସୂଚନା ଆଧାରରେ ତରଭା ଥାନା ଆଇଆଇସି ଦୋଳାମଣି ନାଏକ ଓ ଏଏସଆଇ ବିଭୁ ବରାଳଙ୍କ ନେତୃତ୍ୱରେ ପୋଲିସ ଟିମ୍ ବଦମାଲ ରାସ୍ତା ନିକଟରେ ଏକ ବୋଲେରୋ ଗାଡ଼ିକୁ ଅଟକାଇଥିଲା। ପୋଲିସକୁ ଦେଖି ଗାଡ଼ିଟି ପଳାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ପୋଲିସ ଗାଡ଼ିକୁ ଅଟକାଇ ତଲାସି କରିଥିଲା।
ମାଜିଷ୍ଟ୍ରେଟ ଦୀପ୍ତିମୟୀ ଭୁଏଙ୍କ ଉପସ୍ଥିତିରେ ତଲାସି ସମୟରେ ୬ଟି ବ୍ୟାଗରୁ ୧୦୫ଟି ୫୦୦ ଗ୍ରାମ ପ୍ୟାକେଟ ଓ ୫୪ଟି ୧ କିଲୋର ପ୍ୟାକେଟ ମିଳିଥିଲା। ଏହି ଗଞ୍ଜେଇ କନ୍ଧମାଳରୁ ବିହାରକୁ ଚୋରାଚାଲାଣ ହେଉଥିବା ଜଣାପଡ଼ିଛି।
ଗିରଫ ଅଭିଯୁକ୍ତମାନେ ହେଲେ ବିହାର ଭୋଜପୁର ଜିଲ୍ଲାର ବାବ୍ଲୁ ଚୌଧୁରୀ, ଲାଲନ ଚୌଧୁରୀ ଓ କନ୍ଧମାଳର ସୁଦର୍ଶନ ରାଜହଂସ। ପୋଲିସ ବୋଲେରୋ ଗାଡ଼ି, ୨ଟି ମୋବାଇଲ ଫୋନ, ୮ ହଜାର ୪୬୦ ଟଙ୍କା ନଗଦ ସହ ଅନ୍ୟ ସାମଗ୍ରୀ ଜବତ କରିଛି। ପଚରାଉଚରା ବେଳେ ଅଭିଯୁକ୍ତମାନେ ବିହାରକୁ ଗଞ୍ଜେଇ ଚାଲାଣ କରୁଥିବା ସ୍ୱୀକାର କରିଛନ୍ତି। ପୋଲିସ ଏହି ଘଟଣାରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।