ଭଦ୍ରକ ଜିଲ୍ଲା ଚାନ୍ଦବାଲି କୋର୍ଟ ପରିସରରୁ ପୋଲିସ ହେଫାଜତରୁ ଅଭିଯୁକ୍ତ ଫେରାର ଘଟଣା ପୋଲିସ ବ୍ୟବସ୍ଥାକୁ ନେଇ ବଡ଼ ପ୍ରଶ୍ନ ଉଠାଇଛି। ଘଟଣାକୁ ୨୪ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଫେରାର ଅଭିଯୁକ୍ତ ଦେବବ୍ରତ ଦାସର କୌଣସି ସୁରାଗ ପାଇପାରିନାହିଁ ପୋଲିସ।
ସୂଚନା ଅନୁସାରେ, ବାଂଶଡା ଥାନା ପୋଲିସ ପୁରୁଣା ୱାରେଣ୍ଟ ବଳରେ ଦେବବ୍ରତଙ୍କୁ ଗିରଫ କରିଥିଲା। ପରେ ତାଙ୍କୁ କୋର୍ଟରେ ହାଜର କରାଇବା ପାଇଁ ଚାନ୍ଦବାଲି କୋର୍ଟକୁ ନିଆଯାଇଥିଲା। କିନ୍ତୁ ହାଜର ପୂର୍ବରୁ ହିଁ ପୋଲିସକୁ ଚକମା ଦେଇ ଅଭିଯୁକ୍ତ ଖସି ପଳାଇଥିଲା। ଏହି ଘଟଣା ପରେ ବାଂଶଡା ପୋଲିସର ଖାମଖିଆଲି କାର୍ଯ୍ୟକୁ ନେଇ ତୀବ୍ର ସମାଲୋଚନା ଆରମ୍ଭ ହୋଇଛି। ଅଭିଯୁକ୍ତ ଫେରାର ହେବା ପରେ ଚାନ୍ଦବାଲି ଥାନାରେ ଆଉ ଏକ ମାମଲା ରୁଜୁ କରାଯାଇଛି।
ଅନ୍ୟପଟେ, ଫେରାର ଅଭିଯୁକ୍ତକୁ ଧରିବା ପାଇଁ ସ୍ୱତନ୍ତ୍ର ପୋଲିସ ଟିମ୍ ଗଠନ କରାଯାଇଥିବା ସୂଚନା ଦେଇଛନ୍ତି ଭଦ୍ରକ ଅତିରିକ୍ତ ଏସପି। ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଥିବା ବେଳେ ଘଟଣାର ପୂର୍ଣ୍ଣ ରିପୋର୍ଟ ଆସିବା ପରେ ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୋଲିସ କହିଛି।