ଭୁବନେଶ୍ୱର: ଦୀର୍ଘ ଦିନର ଅପେକ୍ଷା ଶେଷ ହୋଇଛି । ପୁଣି ଚଳଚଞ୍ଚଳ ହୋଇଉଠିଛି ଓଡ଼ିଆ ସିନେମା ଜଗତର ଅନ୍ୟତମ ପ୍ରମୁଖ ସ୍ଥାନ କଳିଙ୍ଗ ଷ୍ଟୁଡିଓ। ନବୀକରଣ ପରେ ଗତ ଅକ୍ଟୋବର ୨୦ ତାରିଖ ମଙ୍ଗଳବାରଠାରୁ ସାଧାରଣ ଦର୍ଶକଙ୍କ ପାଇଁ ଖୋଲିଛି ଷ୍ଟୁଡିଓ ।
ଦର୍ଶକ ଏଠାରେ ବୁଲିବା ସହ ସ୍ନୋ-ପାର୍କ, 3D ମୁଭି ଏବଂ ଭୂତ ବଙ୍ଗଳାର ମଜା ନେଇପାରିବେ । କଳିଙ୍ଗ ଷ୍ଟୁଡିଓ ଭିତରକୁ ପ୍ରବେଶ ପାଇଁ ଜଣକ ପିଛା ୨୦ ଟଙ୍କା ଟିକଟ୍ ବାଧ୍ୟତାମୂଳକ। ଏହା ବ୍ୟତୀତ ଷ୍ଟୁଡିଓର ତିନୋଟି ମୁଖ୍ୟ ଆକର୍ଷଣ ସେଟ୍ ପାଇଁ ଅଲଗା ଅଲଗା ଟିକଟ୍ କାଟିବାକୁ ପଡ଼ିବ। ଏହି ତିନୋଟି ସ୍ଥାନ ବୁଲିବା ପାଇଁ ମୋଟ ୨୭୫ ଟଙ୍କା ଖର୍ଚ୍ଚ ହେବ। ସାଧାରଣ ପ୍ରବେଶ ଟିକଟ୍କୁ ମିଶାଇଲେ ଜଣେ ଦର୍ଶକଙ୍କୁ ମୋଟ ୨୯୫ ଟଙ୍କା ଦେବାକୁ ପଡ଼ିବ। ପ୍ରତ୍ୟେକ ସେଟ୍ ପାଇଁ ସ୍ୱତନ୍ତ୍ର ଟିକଟ୍ ବ୍ୟବସ୍ଥା ରହିଛି।
ଦର୍ଶକଙ୍କ ପାଇଁ ପ୍ରତିଦିନ ଦୁଇଟି ସେସନ୍ ର ବ୍ୟବସ୍ଥା କରାଯାଇଛି। ପ୍ରଥମ ସେସନ୍ ସକାଳ ୧୦ଟାରୁ ଅପରାହ୍ଣ ୧ଟା ୩୦ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ସେସନ୍ ଅପରାହ୍ଣ ୨ଟାରୁ ସନ୍ଧ୍ୟା ୫ଟା ୩୦ ପର୍ଯ୍ୟନ୍ତ ଚାଲିବ। ପ୍ରତ୍ୟେକ ସେସନ୍ରେ ୭ଟି ଲେଖାଏଁ ସ୍ଲଟ୍ ରହିଛି। ଅର୍ଥାତ୍ ଦିନକୁ ମୋଟ ୧୪ଟି ସ୍ଲଟ୍ରେ ଦର୍ଶକଙ୍କୁ ସୁଯୋଗ ମିଳିବ। ପ୍ରତି ସ୍ଲଟ୍ର ଅବଧି ୨୫ ମିନିଟ୍। ବିଶେଷକରି ସ୍ନୋ-ପାର୍କ କେବଳ ନିର୍ଦ୍ଧାରିତ ସ୍ଲଟ୍ ସମୟ ଅନୁସାରେ ଚାଲିବ। ତେବେ ଥରେ କଟାଯାଇଥିବା ଟିକଟ୍ ଫେରସ୍ତ, ପରିବର୍ତ୍ତନ କିମ୍ବା ଅନ୍ୟ ସମୟକୁ ସ୍ଥାନାନ୍ତର କରିହେବ ନାହିଁ।
ଷ୍ଟୁଡିଓ ଖୋଲିବାର ପ୍ରଥମ ଦୁଇ ଦିନରେ ବହୁ ସଂଖ୍ୟାରେ ଦର୍ଶକ ଆସି ସ୍ନୋ-ପାର୍କ, 3D ମୁଭି ଏବଂ ଭୂତ ବଙ୍ଗଳାର ମଜା ନେଇଛନ୍ତି।
ଅନ୍ୟପଟେ ଷ୍ଟୁଡିଓରେ ପୁଣି ଆରମ୍ଭ ହୋଇଛି ଓଡ଼ିଆ ସିନେମାର ସୁଟିଂ ନବୀକରଣ ପରେ କଳିଙ୍ଗ ଷ୍ଟୁଡିଓରେ ପ୍ରଥମ ଓଡ଼ିଆ ସିନେମାର ସୁଟିଂ ଆଜି(ଅକ୍ଟୋବର୨୨)ଠାରୁ ଆରମ୍ଭ ହୋଇଛି। ୱାକ୍ସମ୍ୟାନ୍ ଏଣ୍ଟରଟେନ୍ମେଣ୍ଟ ବ୍ୟାନର୍ରେ ନିର୍ମିତ ହେଉଥିବା ‘ବିବାହ ଡଟ୍ କମ୍’ ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହୋଇଛି। ଯାହାର ପ୍ରଯୋଜକ ଅରବିନ୍ଦ ମିଶ୍ର ଏବଂ ନିର୍ଦ୍ଦେଶକ ଆପୁ କାନୁନ୍ଗୋ ରହିଛନ୍ତି । ଏହି ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହେବା ଓଡ଼ିଆ ସିନେମା ଶିଳ୍ପ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ନୂଆ ରୂପରେ ଖୋଲିଥିବା କଳିଙ୍ଗ ଷ୍ଟୁଡିଓ ଏବେ ଗୋଟିଏ ପଟେ ଦର୍ଶକଙ୍କ ମନୋରଞ୍ଜନ ସହ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣର ଏକ ପ୍ରମୁଖ ସ୍ଥାନ ଭାବେ ଉଭା ହେବାକୁ ଯାଉଛି।