ପୁରୀ : ଆଜି ଅପରାହ୍ନ ୩ଟାରୁ ଶ୍ରୀକ୍ଷେତ୍ର ପୁରୀରେ ବିଶ୍ୱପ୍ରସିଦ୍ଧ ଗୋସାଣୀ ଯାତ୍ରାର ମୁଖ୍ୟ ଭସାଣି ଓ ମେଢ଼ ଏକତ୍ରୀକରଣ ଉତ୍ସବ ଆରମ୍ଭ ହୋଇଛି । ଦୁର୍ଗାପୂଜା ପରମ୍ପରାରେ ଏହା ପୁରୀର ଏକ ଅତି ପ୍ରାଚୀନ ଓ ଅନନ୍ୟ ସାଂସ୍କୃତିକ ଗୌରବ, ଯାହା ଗଙ୍ଗବଂଶ ସମୟରୁ ଚାଲିଆସୁଛି ।
ପୁରୀର ବିଭିନ୍ନ ସାହି ଯେପରିକି ହରଚଣ୍ଡୀ ସାହି, ବାଲି ସାହି, ଦୋଳମଣ୍ଡପ ସାହିରୁ ବାହାରିଥିବା ପ୍ରାୟ ୨୨ରୁ ଅଧିକ ଭବ୍ୟ ଗୋସାଣୀ ମେଢ଼, ନାଗା ଚିତ୍ର ଏବଂ ଅନ୍ୟାନ୍ୟ ପୌରାଣିକ ସ୍ତରକୃତି ଶ୍ରୀମନ୍ଦିରର ସିଂହଦ୍ୱାର ସମ୍ମୁଖ ବଡ଼ଦାଣ୍ଡରେ ଏକାଠି ହୋଇଛନ୍ତି । ବାରବାଟୀ ଗୋସାଣୀ (ହରଚଣ୍ଡୀ ସାହି), କାକୁଡ଼ିଖାଇ (ବାଲି ସାହି), ଜାନହିଖାଇ (ଦୋଳମଣ୍ଡପ ସାହି) ଏବଂ ଶୂନ୍ୟ ଗୋସାଣୀ ଆଦି ପ୍ରମୁଖ ଆକର୍ଷଣ ସାଜିଛନ୍ତି । ଘଣ୍ଟଘଣ୍ଟା, କାହାଳୀ, ବାଜାରେ କମ୍ପୁଛି ଶ୍ରୀକ୍ଷେତ୍ର ପୁରୀ। ଗୋସାଣୀ ଯାତ ଦେଖିବାକୁ ଲାଗିଛି ଭକ୍ତମାନଙ୍କ ଗହଳି।
ଶ୍ରୀମନ୍ଦିରରେ ଏକାଦଶୀ ମହାଦୀପ ଉଠିବା ପରେ ସମସ୍ତ ଗୋସାଣୀ ମେଢ଼ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ବନ୍ଦାପନା କରି ନିଜ ନିଜର ବିସର୍ଜନ ଅଭିମୁଖେ ଯାତ୍ରା କରିବେ ।
ଏଠାରେ ଦେବୀ ମହିଷାସୁରମର୍ଦ୍ଦିନୀଙ୍କ ମୂର୍ତ୍ତି ଅନ୍ୟ ସ୍ଥାନ ପରି ପରିବାର ସହ ନୁହେଁ, ବରଂ ଏକାକୀ ରଣରଙ୍ଗିଣୀ ରୂପରେ ପୂଜା ପାଆନ୍ତି । ଦେବୀଙ୍କ ଚକ୍ଷୁ ସିଧାସଳଖ ମହିଷାସୁର ଆଡ଼କୁ ଥାଏ ଏବଂ ମୂର୍ତ୍ତିଗୁଡ଼ିକ ପାରମ୍ପରିକ ପୁରୀର ସୋଲ ଓ ଜରି କାମରେ ଅତି ନିଖୁଣ ଭାବେ ସଜାଯାଇଥାଏ ।