ଭୁବନେଶ୍ୱର: ସୀମାନ୍ତ କୋଟିଆ ପଞ୍ଚାୟତରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ବେଆଇନ୍ ନିର୍ବାଚନୀ କାର୍ଯ୍ୟକଳାପକୁ ନେଇ ପୁଣିଥରେ ସୀମା ବିବାଦ ତୀବ୍ର ହେବାରେ ଲାଗିଛି। ଆନ୍ଧ୍ରର ଏହି ମନମୁଖୀ ପଦକ୍ଷେପକୁ ଦୃଢ଼ ବିରୋଧ ଜଣାଇବା ସହ ସ୍ଥାନୀୟ ଅଞ୍ଚଳର ପ୍ରକୃତ ସ୍ଥିତି ପରଖିବା ପାଇଁ ଶୁକ୍ରବାର ବିଜୁ ଜନତା ଦଳ (ବିଜେଡି)ର ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ କୋଟିଆ ଗସ୍ତ କରିବ। ଦୀର୍ଘ ଦିନ ଧରି ଚାଲିଆସୁଥିବା କୋଟିଆ ସୀମା ବିବାଦ ଏବଂ ଓଡ଼ିଶା ସୀମାନ୍ତବାସୀଙ୍କ ସ୍ୱାର୍ଥ ସୁରକ୍ଷାକୁ ନେଇ ଏହି ଗସ୍ତ ପରେ ରାଜ୍ୟ ରାଜନୀତି ଅଧିକ ସରଗରମ ହୋଇଉଠିଛି।
ପ୍ରସ୍ତାବିତ ଗସ୍ତ କାର୍ଯ୍ୟକ୍ରମ ଅନୁସାରେ, ବିଜେଡିର ଏହି ପ୍ରତିନିଧି ଦଳ କୋଟିଆ ପଞ୍ଚାୟତର ବିଭିନ୍ନ ଗ୍ରାମ ଗସ୍ତ କରି ସ୍ଥାନୀୟ ଗ୍ରାମବାସୀଙ୍କ ସହ ସିଧାସଳଖ ଆଲୋଚନା କରିବେ। ସୀମାନ୍ତରେ ଆନ୍ଧ୍ରର ଅନୁପ୍ରବେଶ, ବର୍ତ୍ତମାନର ସ୍ଥିତି ଏବଂ ଅଞ୍ଚଳବାସୀ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ପ୍ରତ୍ୟକ୍ଷ ତଥ୍ୟ ସଂଗ୍ରହ କରାଯିବ। ଏହି ଗସ୍ତ ଶେଷ ହେବା ପରେ ଏକ ସମ୍ପୂର୍ଣ୍ଣ ଏବଂ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରାଯାଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରାଯିବ।
ଏହି ଗୁରୁତ୍ୱପୂର୍ଣ୍ଣ ପ୍ରତିନିଧିମଣ୍ଡଳୀରେ ଦଳର ବହୁ ବରିଷ୍ଠ ନେତା, ପୂର୍ବତନ ସାଂସଦ, ବିଧାୟକ ଓ ଜିଲ୍ଲା ସ୍ତରୀୟ ପ୍ରତିନିଧି ସାମିଲ ରହିଛନ୍ତି। ସେମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ଝିନ୍ନ ହିକକା, ବିଧାୟକ ତଥା ବିଜେଡି ଆଦିବାସୀ ସେଲର ଉପସଭାପତି ମନୋହର ରନ୍ଧାରୀ, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରକା, ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ପୂର୍ବତନ ମନ୍ତ୍ରୀ ରମେଶ ମାଝୀ, ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ତଥା ଜାତୀୟ ମୁଖପାତ୍ର ଭୃଗୁ ବକ୍ସିପାତ୍ର ଏବଂ ମୁଖପାତ୍ର ତୁମ୍ୱନାଥ ପଣ୍ଡା ପ୍ରମୁଖ ରହିଛନ୍ତି। ଏହା ବ୍ୟତୀତ ପୂର୍ବତନ ବିଧାୟକ ମାନସ ମାଡକାମୀ, ରଘୁରାମ ପଡ଼ାଲ, ପ୍ରଫୁଲ୍ଲ ପାଙ୍ଗୀ, ପ୍ରୀତମ ପାଢ଼ୀ, ପ୍ରଭୁ ଜାନି, ବିଜେଡି ଆଦିବାସୀ ସେଲର ସାଧାରଣ ସମ୍ପାଦିକା କୌଶଲ୍ୟା ହିକକା, କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସଶ୍ମିତା ମେଲକା ଏବଂ କୋରାପୁଟ ପୌରପାଳିକା ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ ମଧ୍ୟ ଏହି ଟିମ୍ର ଅଂଶବିଶେଷ ଅଟନ୍ତି।
ସୂଚନାଯୋଗ୍ୟ ଯେ, କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ ବଢ଼ୁଥିବା ନେଇ ପୂର୍ବରୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖି ତୁରନ୍ତ ହସ୍ତକ୍ଷେପ କରିବାକୁ ନିବେଦନ କରିଥିଲେ। ଓଡ଼ିଶାର ଭୌଗୋଳିକ ଅଖଣ୍ଡତାକୁ ବଜାୟ ରଖିବା ଏବଂ କୋଟିଆବାସୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ସେ ଚିଠିରେ ଦୃଢ଼ ଦାବି କରିଥିଲେ।
୨୦୨୪ ନିର୍ବାଚନ ପୂର୍ବରୁ ବିଜେପି ନିଜ ସଂକଳ୍ପ ପତ୍ରରେ କୋଟିଆ ବିବାଦର ସ୍ଥାୟୀ ସମାଧାନ, ଓଡ଼ିଆ ସ୍ୱାଭିମାନର ସୁରକ୍ଷା ଏବଂ ରାଜ୍ୟର ଭୌଗୋଳିକ ସୀମାର ରକ୍ଷା ପାଇଁ ଦେଇଥିବା ପ୍ରତିଶ୍ରୁତିକୁ ନବୀନ ମନେ ପକାଇ ଦେଇଥିଲେ। ଏହି ପ୍ରତିଶ୍ରୁତି ପୂରଣ କରିବାରେ ବର୍ତ୍ତମାନର ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବା ସେ ଅଭିଯୋଗ କରିଛନ୍ତି। କୋଟିଆବାସୀଙ୍କ ସ୍ୱାର୍ଥରକ୍ଷା ଏବଂ ଓଡ଼ିଶାର ଜମିକୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ସରକାର ଜରୁରୀ ଓ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ନବୀନ ଗୁରୁତ୍ୱାରୋପ କରିଛନ୍ତି।