ନୟାଗଡ଼: ରାଜଧାନୀ ଭୁବନେଶ୍ୱର ବାଲିଅନ୍ତା ଭିଡ଼ ହିଂସା ଘଟଣା ସାରା ରାଜ୍ୟକୁ ଦୋହଲାଇ ଦେଇଥିବାବେଳେ ନୟାଗଡ଼ରୁ ଆସିଛି ଆଉ ଏକ ବିଭତ୍ସ ହତ୍ୟାକାଣ୍ଡର ଖବର । ନୟାଗଡ଼ରେ ପଥର ମାଫିଆଙ୍କୁ ଗୁଣ୍ଡାରାଜ । ମାଙ୍କଡ଼ା ପଥର ଖନନକୁ ବିରୋଧ କରୁଥିବା ଜଣେ ଯୁବକଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ ବିଜୟଦାଣ୍ଡ ସାହିର ଅଜିତ ସାହୁ ।
ନୟାଗଡ଼ ଜିଲ୍ଲା ଓଡ଼ଗାଁ କଦଳୀବନ୍ଧ ଅଞ୍ଚଳରେ ମାଙ୍କଡ଼ା ପଥର ଖନନକୁ ସ୍ଥାନୀୟ ଲୋକେ ବିରୋଧ କରି ଆସୁଥିଲେ । ଗତକାଲି ରାତିରେ କଦଳୀବନ୍ଧ ରାସ୍ତାରେ ମାଙ୍କଡ଼ା ପଥର ଚୋରା ଚାଲାଣ ହେଉଥିବାବେଳେ ଅଜିତ ସାହୁ ଏବଂ ତାଙ୍କର ଦୁଇ ସହଯୋଗୀ ଦେଖି ଅଟକାଇଥିଲେ । ଏହା ଓଡ଼ଗାଁ ଥାନା ପୋଲିସକୁ ଖବର ଦେଇଥିଲେ । ଏହି ସମୟରେ ଗାଡ଼ିରୁ ୬ ଜଣ ଲୋକ ମାରଣାସ୍ତ୍ର ଧରି ବାହାରିବା ସମୟରେ ଅଜିତଙ୍କର ଦୁଇ ସହଯୋଗୀ ଘଟଣା ସ୍ଥଳରୁ ଭୟରେ ଫେରାର ହୋଇଯାଇଥିଲେ । କିନ୍ତୁ ଅଜିତ ଏକୁଟିଆ ସାହସର ସହିତ ସେମାନଙ୍କ ସହିତ ଯୁକ୍ତି ତର୍କ କରିଥିଲେ ଏବଂ ହାତାହାତି ମଧ୍ୟ ହୋଇଥିଲେ । ଏହି ସମୟରେ ପଥର ୪ ଜଣ ମାଫିଆ ଅଜିତଙ୍କ କାବୁ କରି ନେଇଥିଲେ ଏବଂ ଅନ୍ୟ ୨ ଜଣ ଅଜିତଙ୍କର ପ୍ରଥମେ ବାମ ହାତକୁ ହାଣି ଦେଇଥିଲେ । ଏହା ପରେ ଅଜିତଙ୍କ ଡାହାଣ ହାତ ପାପୁଲିକୁ ହାଣି ଦେଇ ଚମ୍ପଟ୍ ମାରିଥିଲେ । ଶେଷରେ ଯନ୍ତ୍ରଣାରେ ଛଟପଟ ହୋଇ ଅଜିତଙ୍କର ଜୀବନ ଚାଲିଯାଇଥିଲା ।
ଏହାକୁ ନେଇ କଦଳୀବନ୍ଧ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ଏହାର ବିରୋଧରେ ଗ୍ରାମବାସୀ ରାସ୍ତାରୋକ କରିଛନ୍ତି । ଅଜିତ ନ୍ୟାୟ ଦେବା ସହିତ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ନୟାଗଡ଼ ଓଡ଼ଗାଁ ରାସ୍ତାରେ ଶହ ଶହ ସଂଖ୍ୟାରେ ଗାଡ଼ି ମୋଟର ଅଟକି ରହିଛି । ପୋଲିସ ଘଟଣା ସ୍ଥଳରେ ପହଁଚି ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରୁଛି ।