ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ବାଲିଅନ୍ତା ସୌମ୍ୟ ମୃତ୍ୟୁ ଘଟଣା ସାରା ରାଜ୍ୟକୁ ଦୋହଲାଇ ଦେଇଛି । ସେହି ବେଳର ଦୃଶ୍ୟ ଯିଏ ବି ଦେଖୁଛି ତାର ଲୋମ ଟାଙ୍କୁରି ଉଠୁଛି । ତେବେ ଏକାଧିକ ଲୋକେ ଏଥିରେ ସାମିଲ ଥିଲେ ସୁଦ୍ଧା ଏହି ମାମଲାରେ ‘ଭିଡ଼ ହିଂସା’ ବା ‘ମବ୍ ଲିଞ୍ଚିଙ୍ଗ୍’ ଧାରା ଲାଗ ହେବ ନାହିଁ । କିନ୍ତୁ ହତ୍ୟା ମାମଲାରେ ଯାହା ଦଣ୍ଡ ବିଧାନ ରହିଛି ଏଥିରେ ସମାନ ଦଣ୍ଡ ବିଧାନ ରହିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି ବିନୟ ତୋଷ ମିଶ୍ର ।
କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି ବାଲିଅନ୍ତା ଘଟଣାକୁ ଅତି ଗୁରୁତର ସହିତ ଗ୍ରହଣ କରାଯାଇଛି । ବିଭିନ୍ନ ଲୋକଙ୍କ ବୟାନ ରେକର୍ଡ କରାଯାଉଛି । ସେଠାରେ ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତି ହତ୍ୟାକାଣ୍ଡରେ ଜଡ଼ିତ ନ ଥିଲେ । କିଛି ଲୋକ କେବଳ ଛିଡ଼ା ହୋଇ ଦେଖିଥିଲେ । କିଛି ଲୋକ ମାଡ଼ ମାରିଥିଲେ । ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛି । କିନ୍ତୁ ଏହି ଘଟଣାରେ ଭିଡ଼ ହିଂସା ଧାରା ଲାଗୁ କରାଯିବ ନାହିଁ ।
ଡିଜି କହିଛନ୍ତି ଯେ ଭିଡ଼ ହିଂସାକୁ ନେଇ ଭାରତୀୟ ନ୍ୟାୟ ସଂହିତାରେ କିଛିଟା କ୍ଲଜ୍ ରହିଛି । 5ରୁ ଅଧିକ ଲୋକ ଯଦି ଜାତି, ଧର୍ମ, ଯୌନ, ଜନ୍ମ ସ୍ଥାନ, ଭାଷା କିମ୍ବା ବ୍ୟକ୍ତିଗତ ଭାବାବେଗକୁ ନେଇ ଆକ୍ରମଣ କରିଥିବେ ତେବେ ତାହା ଭିଡ଼ ହିଂସା ଅଧୀନରେ ଆସିବ । କିନ୍ତୁ ବାଲିଅନ୍ତା ମାମଲାରେ ଏତଲାରେ ସେଭଳି କିଛି ଅଭିଯୋଗ ଆସି ନାହିଁ । ତେଣୁ ଏଠାରେ ଭିଡ଼ ହିଂସାର ଧାରା ଲାଗୁ ହୋଇପାରିବ ନାହିଁ । କିନ୍ତୁ ଆଗାମୀ ଦିନରେ ତଦନ୍ତ କ୍ରମରେ ଯଦି ଏଭଳି ଅଭିଯୋଗ ଆସେ ତେବେ ଧାରା ଲାଗୁ କରାଯିବ । ତେବେ ଭିଡ଼ ହିଂସା ଏବଂ ଏହି ହତ୍ୟା କାଣ୍ଡରେ ସମାନ ଦଣ୍ଡବିଧାନ ହେବ ବୋଲି ସ୍ପଷ୍ଟ କରିଛନ୍ତି ଡିଜି ଶ୍ରୀଯୁକ୍ତ ମିଶ୍ର ।