ରାୟଗଡା ସହରରେ ନିଖିଲ ହାଡ଼ିପାହତ୍ୟାକାଣ୍ଡକୁ ନେଇ ଚାପା ଉତ୍ତେଜନା ଦେଖାଦେଇଛି। ଅପହରଣ ପରେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଘଟଣାରେ ସୋମବାର ସହରରେ ବିରାଟ ପ୍ରତିବାଦ ଦେଖିବାକୁ ମିଳିଥିଲା। ଟାଉନ୍ ଥାନା ଆଗରେ ବାଣ ଫୁଟାଇବା ସହ ଉତ୍ତ୍ୟକ୍ତ ଲୋକେ ବାଇକ୍ ପୋଡ଼ି ରୋଷ ପ୍ରକାଶ କରିଥିଲେ। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡିବାରୁ ସହରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ଗତ ଶନିବାର ରାୟଗଡାର ଇନ୍ଦିରା ନଗର ତୃତୀୟ ଲାଇନରେ ଘଟିଥିଲା ଏହି ଚର୍ଚ୍ଚିତ ଅପହରଣ ଓ ଗୁଳିକାଣ୍ଡ। ସଦର ରେଲି ସାହିର ଯୁବକ ନିଖିଲ ହାଡ଼ିପାଙ୍କୁ କିଛି ଦୁର୍ବୃତ୍ତ ଘେରି ଧମକ ଦେଇଥିଲେ। ଯୁକ୍ତିତର୍କ ମଧ୍ୟରେ ନିଖିଲ ପ୍ରାଣଭୟରେ ଦୌଡିବାକୁ ଚେଷ୍ଟା କରିଥିବାବେଳେ ତାଙ୍କ ଉପରେ ଗୁଳି ଚାଲିଥିବା ଅଭିଯୋଗ ହୋଇଛି। ପରେ ତାଙ୍କୁ ଅପହରଣ କରି ନେଇଯାଇଥିଲା ଏବଂ ରବିବାର ନଦୀ ପଠାରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା।
ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟଙ୍କର ଅସନ୍ତୋଷ ଦେଖାଦେଇଛି। ସକାଳୁ ଟାୟାର ଜାଳି ରାସ୍ତାରୋକ କରିବା ସହ ଟାଉନ୍ ଥାନା ଘେରାଉ କରାଯାଇଥିଲା। ପରେ ନିଖିଲଙ୍କ ମୃତଦେହକୁ ଧରି ବିରାଟ ଶବ ଶୋଭାଯାତ୍ରା ବାହାରିଥିଲା। ଶୋଭାଯାତ୍ରା ସମୟରେ ବସ୍ଷ୍ଟାଣ୍ଡ ନିକଟରେ ଏକ ବାଇକ୍କୁ ନିଆଁ ଲଗାଇ ଦେବାରୁ କିଛି ସମୟ ପାଇଁ ପରିସ୍ଥିତି ଅନିୟନ୍ତ୍ରିତ ହୋଇପଡିଥିଲା। ପୋଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲେ।
ମୃତକଙ୍କ ପିତା ଶିବା ହାଡିପା ପୋଲିସ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଅପହରଣ ସମୟରୁ ପୋଲିସକୁ ସବୁ ସୂଚନା ଦିଆଯାଇଥିଲା, କିନ୍ତୁ କୌଣସି ତୁରନ୍ତ ପଦକ୍ଷେପ ନିଆଯାଇନଥିଲା। ଏହି ହତ୍ୟାକାଣ୍ଡରେ ଦଶରୁ ଅଧିକ ଅଭିଯୁକ୍ତ ଜଡିତ ଥିବା ସତ୍ତ୍ୱେ ପୋଲିସ ଗିରଫରେ ଅସଫଳ ବୋଲି ସେ ଅଭିଯୋଗ କରିଛନ୍ତି। ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ ନକରାଗଲେ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ପରିବାର ପକ୍ଷରୁ ଚେତାବନୀ ଦିଆଯାଇଛି।
ପୁଅର ହତ୍ୟା ଘଟଣାରେ ସହରରେ ଆଉ ଏକ ଗ୍ୟାଙ୍ଗର ହାତ ରହିଥିବା ତାଙ୍କ ମାଆ ହାଡ଼ିପା ବାଲାମା ଅଭିଯୋଗ କରିଛନ୍ତି। ମୃତ ନିଖିଲର ପତ୍ନୀ ତିନି ମାସର ଗର୍ଭବତୀ। ଟାଉନ୍ ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି।
ଅଧିକ ପଢନ୍ତୁ: ରାୟଗଡାରେ ଚାଞ୍ଚଲ୍ୟ; ସିନେମା ଷ୍ଟାଇଲ୍ ଯୁବକକୁ ଅପହରଣ ପରେ ଗୁଳି କରି ହତ୍ୟା; ଗ୍ରାମବାସୀଙ୍କ ରାସ୍ତାରୋକ