ମୁମ୍ବାଇ: ଦୀର୍ଘ ୧୬ ବର୍ଷ ଧରି ଭାରତକୁ ନିଜର ଦ୍ୱିତୀୟ ଘର ବୋଲି ଭାବୁଥିବା ଜଣାଶୁଣା ଇରାନୀ ଅଭିନେତ୍ରୀ ମନ୍ଦାନା କରିମୀ ଶେଷରେ ଦେଶ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ସୋସିଆଲ ମିଡିଆରେ ନିଜ ପ୍ରଶଂସକଙ୍କୁ ଏହି ଆଶ୍ଚର୍ଯ୍ୟଜନକ ଖବର ଦେଇ ମନ୍ଦାନା କହିଛନ୍ତି ଯେ, ଭାରତ ଛାଡ଼ିବା ତାଙ୍କ ଜୀବନର ସବୁଠାରୁ କଷ୍ଟକର ନିଷ୍ପତ୍ତି। ଏୟାରପୋର୍ଟରୁ ଏକ ଭିଡିଓ ସେୟାର କରି ସେ ଭାରତକୁ ଅଲବିଦା କହିବା ସହ ଏକ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଥିବା ସୂଚନା ଦେଇଛନ୍ତି।
ସୁରକ୍ଷା କାରଣରୁ ନେଲେ ବଡ଼ ନିଷ୍ପତ୍ତି
ମନ୍ଦାନାଙ୍କ ଏହି ନିଷ୍ପତ୍ତି ପଛରେ ଏକ ବଡ଼ କାରଣ ରହିଛି ସୁରକ୍ଷା। ଏକ ସାକ୍ଷାତକାରରେ ସେ ଖୁଲାସା କରିଥିଲେ ଯେ, ଇରାନରେ ଚାଲିଥିବା ବିଭିନ୍ନ ପ୍ରସଙ୍ଗ ଏବଂ ସେଠାକାର ପ୍ରଶାସନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ପରେ ତାଙ୍କୁ କ୍ରମାଗତ ଭାବେ ଧମକ ମିଳୁଥିଲା। ଏପରିକି ତାଙ୍କୁ ଜୀବନରେ ମାରିଦେବା ପାଇଁ ମଧ୍ୟ ବାରମ୍ବାର ଧମକ ଦିଆଯାଉଥିଲା। ଦୀର୍ଘ ଦିନର ସଂଘର୍ଷ ପରେ ଏବେ ସେ ନିଜକୁ ଭାରତରେ ସହଜ ଏବଂ ସୁରକ୍ଷିତ ମନେ କରୁନାହାନ୍ତି ବୋଲି କହିଛନ୍ତି।
‘ଭାରତ ଏବେ ଆଉ ନିଜ ଘର ଭଳି ଲାଗୁନି’
ଭାବପ୍ରବଣ ହୋଇ ମନ୍ଦାନା କହିଛନ୍ତି ଯେ, ଏହି କଷ୍ଟକର ସମୟରେ ତାଙ୍କୁ କାହାର ସମର୍ଥନ ମିଳିନାହିଁ। ନା ବନ୍ଧୁ, ନା ସରକାର କିମ୍ବା ଗଣମାଧ୍ୟମ- କେହି ବି ତାଙ୍କ ସହ ଛିଡ଼ା ହୋଇନାହାନ୍ତି। ସେ କହିଛନ୍ତି, "ମୁଁ ଯାହା ବି କଲି, ମୋ ଦେଶ ଇରାନ ଏବଂ ମୋ ଲୋକଙ୍କ ପାଇଁ କଲି। ଯଦି ପୁଣି ଥରେ ସୁଯୋଗ ମିଳେ, ମୁଁ ସେହି ସମାନ ରାସ୍ତା ବାଛିବି।" କିନ୍ତୁ ସମର୍ଥନ ଅଭାବରୁ ଏବେ ଭାରତ ତାଙ୍କୁ ଆଉ ନିଜ ଘର ଭଳି ମନେ ହେଉନାହିଁ, ଯେଉଁଥିପାଇଁ ସେ ଏଠାରୁ ବିଦାୟ ନେବାକୁ ଶ୍ରେୟସ୍କର ମନେ କରିଛନ୍ତି।
କିଏ ଏହି ମନ୍ଦାନା କରିମୀ ?
ସୂଚନାଯୋଗ୍ୟ ଯେ, ମନ୍ଦାନା କରିମୀ 'ବିଗ୍ ବସ୍ ୯' ଏବଂ 'ଲକ୍ ଅପ୍' ଭଳି ରିଆଲିଟି ସୋ' ଜରିଆରେ ଘରେ ଘରେ ପରିଚିତ ହୋଇଥିଲେ। ଏହା ବ୍ୟତୀତ ସେ ବଲିଉଡର ଅନେକ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ତାଙ୍କର ଏଭଳି ହଠାତ୍ ଦେଶ ଛାଡ଼ିବା ନିଷ୍ପତ୍ତି ପ୍ରଶଂସକଙ୍କୁ ବେଶ୍ ମର୍ମାହତ କରିଛି।