ଭୁବନେଶ୍ୱର: ରାଜ୍ୟର ଲକ୍ଷ ଲକ୍ଷ ବୃଦ୍ଧ, ବିଧବା ଓ ଭିନ୍ନକ୍ଷମ ହିତାଧିକାରୀଙ୍କ ପାଇଁ ଆସିଛି ବଡ଼ ଖବର। ଗତ କିଛି ଦିନ ଧରି ଭତ୍ତା ପାଇବାରେ ସମସ୍ୟା ଭୋଗୁଥିବା ଲୋକଙ୍କ ପାଇଁ ଆଶାର କିରଣ ଦେଖାଇଛନ୍ତି ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସେ ସ୍ପଷ୍ଟ କରିଛନ୍ତି ଯେ, ଭତ୍ତା ବଣ୍ଟନରେ ଦେଖାଦେଇଥିବା ସମସ୍ତ ବୈଷୟିକ ତ୍ରୁଟି ଆସନ୍ତା ୭ ଦିନ ମଧ୍ୟରେ ସମାଧାନ କରାଯିବ ଏବଂ ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ନିୟମିତ ଭାବେ ଟଙ୍କା ପହଞ୍ଚିବ।
ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଭତ୍ତା ବନ୍ଦ ହେବା କିମ୍ବା ବିଳମ୍ବରେ ମିଳିବା ନେଇ ଅଭିଯୋଗ ଆସୁଥିଲା। ଅନେକ ବୃଦ୍ଧ ଓ ଅସହାୟ ଲୋକଙ୍କ ପାଇଁ ଏହି ଭତ୍ତା ହେଉଛି ଜୀବନ ଜୀବିକାର ମୁଖ୍ୟ ଆଧାର। ତେଣୁ ଟଙ୍କା ନମିଳିବାରୁ ସେମାନେ ଚିନ୍ତାରେ ଥିଲେ। ବିଶେଷ କରି ବ୍ୟାଙ୍କ ଖାତା ସଂଯୋଗର ତ୍ରୁଟି, ଡାଟା ମିସମ୍ୟାଚ ଓ ‘ସ୍ପର୍ଶ’ ପୋର୍ଟାଲରେ ଥିବା କିଛି ବୈଷୟିକ ସମସ୍ୟା ଯୋଗୁଁ ଏହି ଅବସ୍ଥା ସୃଷ୍ଟି ହୋଇଥିଲା।
ଏହି ପ୍ରସଙ୍ଗରେ ମନ୍ତ୍ରୀ କହିଛନ୍ତି ଯେ, ସରକାର ଏହାକୁ ଗୁରୁତ୍ୱର ସହ ନେଇଛନ୍ତି। ‘ସ୍ପର୍ଶ’ ପୋର୍ଟାଲ ମାଧ୍ୟମରେ ଆକାଉଣ୍ଟ ଅପଡେଟ୍ ଓ ତଥ୍ୟ ଯାଞ୍ଚ କାର୍ଯ୍ୟ ଜୋରଦାର ଭାବେ ଚାଲିଛି। ସମ୍ପୃକ୍ତ ବିଭାଗଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ତ୍ରୁଟି ସୁଧାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନଙ୍କର ତଥ୍ୟ ଅପଡେଟ୍ ହୋଇଯିବ, ସେମାନଙ୍କ ଖାତାକୁ ସିଧାସଳଖ ଭତ୍ତା ଟଙ୍କା ଜମା ହେବ।
ସବୁଠୁ ବଡ଼ କଥା ହେଉଛି, କୌଣସି ଯୋଗ୍ୟ ହିତାଧିକାରୀ ଭତ୍ତାରୁ ବଞ୍ଚିତ ହେବେ ନାହିଁ ବୋଲି ମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି। ମନ୍ତ୍ରୀଙ୍କ ଏହି ଘୋଷଣା ପରେ ଭତ୍ତା ଅପେକ୍ଷାରେ ଥିବା ଲକ୍ଷ ଲକ୍ଷ ଲୋକଙ୍କ ମନରେ ପୁଣି ଆଶା ଜାଗିଛି। ଏବେ ସମସ୍ତଙ୍କ ନଜର ରହିଛି ଆସନ୍ତା ୭ ଦିନ ଉପରେ ସତରେ କି ଦୂର ହେବ ସବୁ ସମସ୍ୟା ଏବଂ ସମୟରେ ମିଳିବ ଭତ୍ତା? ଏହାକୁ ନେଇ ଅପେକ୍ଷାରେ ଅଛନ୍ତି ଲକ୍ଷ ଲକ୍ଷ ହିତାଧିକାରୀ।