ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ରେଲୱେ ଷ୍ଟେସନରେ ଜିଆରପିର ବଡ଼ଧରଣର ଚଢ଼ାଉ । ଟ୍ରେନ ଯୋଗେ ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଜିଆରପି ପୋଲିସ । ଜଣେ ଅନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ସହ ତିନି ଜଣ ଗିରଫ ହୋଇଛନ୍ତି । ଗିରଫଙ୍କ ମଧ୍ୟରେ ଦୁଇ ଜଣ ମହିଳା ମଧ୍ୟ ଅଛନ୍ତି । ସେମାନଙ୍କ ନିକଟରୁ ୧୮ କିଲୋ ଗଞ୍ଜେଇ ଜବତ ହୋଇଛି । ଗିରଫ ଅଭିଯୁକ୍ତ ହେଲା ଉତ୍ତରପ୍ରଦେଶର ଗୌତମ ସିଂ।
ବର୍ତମାନ ରେଳପଥ ସାଜିଛି ଗଂଜେଇ ମାଫିଆଙ୍କ ଗଳାବାଟ, ଆଉ ଏହା ଉପରେ ଏବେ ତୀକ୍ଷ୍ଣ ନଜର ରଖିଛି ରେଲୱେ ପୋଲିସ । ଆଜି ସକାଳ ପ୍ରାୟ ୮ଟା ସମୟରେ ଟିଟିଲାଗଡ଼ ରେଲୱେ ଷ୍ଟେସନରେ ଜିଆରପିକୁ ଏକ ବଡ଼ଧରଣର ସଫଳତା ମିଳିଛି । ଜୁନାଗଡ଼-ରାୟପୁର ପାସେଞ୍ଜର ଟ୍ରେନରେ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ହେଉଥିବା ନେଇ ଟିଟିଲାଗଡ଼ ଜିଆରପିକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା । ଖବର ପାଇବା କ୍ଷଣି ଜିଆରପି ଓଆଇସି ସନ୍ତୋଷିନୀ ମହନ୍ତଙ୍କ ନେତୃତ୍ୱରେ ଏକ ସ୍ପେଶାଲ ଟିମ୍ ଷ୍ଟେସନ ପରିସରରେ ଆରମ୍ଭ କରିଥିଲା ଖାନତଲାସି ।
ଟ୍ରେନରୁ ଓହ୍ଲାଇବା ପରେ ସନ୍ଦେହଜନକ ଭାବେ ବୁଲୁଥିବା ଜଣେ ବ୍ୟକ୍ତିଙ୍କୁ ଅଟକାଇଥିଲା ପୋଲିସ। ବ୍ୟାଗ୍ ଯାଞ୍ଚ କରିବା ପରେ ପୋଲିସ ଆଖି ତାଜୁବ୍ ହୋଇଯାଇଥିଲା । ଅଲଗା ଅଲଗା ବ୍ୟାଗ୍ରେ ଛୋଟ ଛୋଟ ପ୍ୟାକେଟ୍ କରି ଚାଲାଣ ହେଉଥିବା ପ୍ରାୟ ୧୮ କିଲୋଗ୍ରାମ ବେଆଇନ ଗଞ୍ଜେଇକୁ ଜବତ କରିଛି ଜିଆରପି । ଏହି ଘଟଣାରେ ପୋଲିସ ଦୁଇ ଜଣ ମହିଳା ଏବଂ ଜଣେ ପୁରୁଷ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଗଞ୍ଜେଇ କଳାହାଣ୍ଡି ନର୍ଲା ରୁ ଛତିଶଗଡ଼ ରାୟପୁର କୁ ଚାଲାଣ ହେଉଥିଲା, ପୋଲିସ ଅଧିକ ତଦନ୍ତ ଜାରି ରଖିବା ସହ ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।