ଗଞ୍ଜାମ: ଖରା ଛୁଟି କାଟିବାକୁ ମାମୁଁ ଘରକୁ ଆସିଥିଲେ। ପରିବାର ସହ ହସଖୁସିରେ ସମୟ ବିତାଉଥିଲେ। ହେଲେ କିଏ ଜାଣିଥିଲା, ଏହି ଛୁଟି ତାଙ୍କ ଜୀବନର ଶେଷ ଛୁଟି ହୋଇଯିବ। ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅଞ୍ଚଳରେ ଘଟିଥିବା ଏକ ହୃଦୟବିଦାରକ ଅଘଟଣରେ ୧୩ ବର୍ଷୀୟ ନାବାଳକ ବାଦଲ ମୂଳିଙ୍କ ଜୀବନ ଚାଲିଯାଇଛି।
ସୂଚନା ଅନୁସାରେ, ବଡ଼ଗଡ଼ ଥାନା ଗାଙ୍ଗପୁର ଗାଁର ବାଦଲ ଖରା ଛୁଟିରେ ନିଜ ଅଜାଘରକୁ ବୁଲିବାକୁ ଆସିଥିଲେ। ମଙ୍ଗଳବାର ଅପରାହ୍ନରେ ସାମନ୍ତରା ଘାଇ ଛକ ନିକଟରେ ଥିବା ଅଜାଙ୍କ ଦୋକାନରେ ସେ ଥିବାବେଳେ ହଠାତ୍ ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ଲିକ୍ ହୋଇ ନିଆଁ ଲାଗିଯାଇଥିଲା।
କିଛି ମୁହୂର୍ତ୍ତ ମଧ୍ୟରେ ନିଆଁ ଭୟଙ୍କର ରୂପ ନେଇଥିଲା। ଏହାପରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହେବାରୁ ସମଗ୍ର ଅଞ୍ଚଳ ଥରି ଉଠିଥିଲା। ଦୁର୍ଭାଗ୍ୟବଶତଃ ବାଦଲ ନିଆଁ ଭିତରୁ ବାହାରି ପାରିନଥିଲେ। ଫଳରେ ସେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ।
ଖବର ପାଇ ସୋରଡ଼ା ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ପରେ ସୋରଡ଼ା ପୋଲିସ ମଧ୍ୟ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତଦେହକୁ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏହି ଦୁଃଖଦ ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।