ଭୁବନେଶ୍ୱର: ସୌର ଶକ୍ତିର ବ୍ୟବହାର ଏବଂ ସ୍ଥାୟୀ ବିକାଶ କ୍ଷେତ୍ରରେ ଦେଶ ପାଇଁ ଏକ ନୂଆ ଦୃଷ୍ଟାନ୍ତ ସୃଷ୍ଟି କରିଛି ଓଡ଼ିଶା। ‘ମାସ ଅଫ୍ ସୋଲାର’ ଅଭିଯାନ-୨୦୨୬ରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ରାଜ୍ୟକୁ ମିଳିଛି ପ୍ରତିଷ୍ଠିତ ‘ପିଏମ୍ ସୂର୍ଯ୍ୟ ଘର ଏକ୍ସିଲେନ୍ସ ଆୱାର୍ଡ’। ଏହି ସଫଳତା ରାଜ୍ୟର ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ଦୃଢ଼ ଅଗ୍ରଗତିର ପ୍ରମାଣ ବୋଲି କୁହାଯାଉଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସଫଳତାକୁ ଓଡ଼ିଶାବାସୀଙ୍କ ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି। ତାଙ୍କ କହିବା ଅନୁସାରେ, ସ୍ଥାୟୀ ବିକାଶ ଏବଂ ସୌର ଶକ୍ତିର ବ୍ୟାପକ ବ୍ୟବହାର କ୍ଷେତ୍ରରେ ଓଡ଼ିଶା ଆଜି ଦେଶର ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଚିତ ହୋଇପାରିଛି।
‘ମାସ ଅଫ୍ ସୋଲାର’ ଅଭିଯାନ ସମୟରେ ମଧ୍ୟମ ଶ୍ରେଣୀର ରାଜ୍ୟମାନଙ୍କ ମଧ୍ୟରେ ସର୍ବାଧିକ ଗ୍ରାହକ ଆବେଦନ, ରୁଫଟପ୍ ସୋଲାର ସ୍ଥାପନ ଏବଂ ଡିସକମ୍ ଯାଞ୍ଚ କ୍ଷେତ୍ରରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଛି। ଏହାସହ ‘ମ୍ୟାକ୍ସିମମ୍ ଭେଣ୍ଡର ରେଜିଷ୍ଟ୍ରେସନ୍’ ବର୍ଗରେ ରାଜ୍ୟ ତୃତୀୟ ସ୍ଥାନ ହାସଲ କରିଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ସଫଳତା ସରକାରଙ୍କ ଦୂରଦର୍ଶୀ ଚିନ୍ତାଧାରା, ବିଭିନ୍ନ ବିଭାଗ ମଧ୍ୟରେ ଉତ୍କୃଷ୍ଟ ସମନ୍ୱୟ ଏବଂ ତୃଣମୂଳ ସ୍ତରରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀଙ୍କ ନିଷ୍ଠାପୂର୍ଣ୍ଣ ପ୍ରୟାସର ଫଳ। ସେ ଏହି ଅଭିଯାନ ସହ ଜଡ଼ିତ ସମସ୍ତ ବିଭାଗ, ଅଧିକାରୀ ଏବଂ ହିତାଧିକାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ରାଜ୍ୟ ସରକାର ଆଗାମୀ ଦିନରେ ମଧ୍ୟ ନବୀକରଣଯୋଗ୍ୟ ଶକ୍ତି ଓ ପରିବେଶ ଅନୁକୂଳ ବିକାଶକୁ ପ୍ରାଥମିକତା ଦେବେ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଏହି ସଫଳତା କେବଳ ଓଡ଼ିଶାର ଶକ୍ତି ଭିତ୍ତିଭୂମିକୁ ସୁଦୃଢ଼ କରିବ ନୁହେଁ, ବରଂ ଆତ୍ମନିର୍ଭର ଓଡ଼ିଶା ଗଠନ ଦିଗରେ ଆଉ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।