ଭୁବନେଶ୍ୱର: ବାଲିଅନ୍ତାରେ ଜିଆରପି କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କ ମୃତ୍ୟୁ ଘଟଣାକୁ ନେଇ ଜାତୀୟ ମାନବାଧିକାର ଆୟୋଗ (NHRC) ତଦନ୍ତକୁ ଆହୁରି ଜୋରଦାର କରିଛି। ମଙ୍ଗଳବାର ଆୟୋଗର ଦୁଇ ଜଣିଆ ଟିମ୍ ବାଲିଅନ୍ତାରେ ପହଞ୍ଚି ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ବିଭିନ୍ନ ତଥ୍ୟ ସଂଗ୍ରହ କରିଛନ୍ତି।
ସ୍ଥାନୀୟ ପୋଲିସର ସହଯୋଗରେ NHRC ଟିମ୍ ଘଟଣାସ୍ଥଳ ନିରୀକ୍ଷଣ କରିଥିଲା। ସେଠାରେ ଭିଡିଓ ରେକର୍ଡିଂ କରାଯିବା ସହ ଘଟଣା ସମ୍ପର୍କିତ ବିଭିନ୍ନ ବ୍ୟକ୍ତିଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି। ଏହାସହ ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ପାଖରୁ ସମସ୍ତ ଦସ୍ତାବିଜ, ରିପୋର୍ଟ ଏବଂ ମାମଲା ସମ୍ପର୍କିତ କାଗଜପତ୍ର ମଧ୍ୟ ଏନଏଚଆରସି ସଂଗ୍ରହ କରିଥିବା ସୂଚନା ମିଳିଛି।
କେବଳ ଘଟଣାସ୍ଥଳ ନୁହେଁ, ଏନଏଚଆରସି ଟିମ୍ ମୃତକ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କ ପରିବାର ଓ ଅନ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରକୁ ମଧ୍ୟ ଯାଇ ବୟାନ ରେକର୍ଡ କରିବାକୁ ଯୋଜନା କରିଛି।
ତଦନ୍ତ ବେଳେ ଆୟୋଗ କିଛି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଫୋକସ କରୁଛି। ସୌମ୍ୟଙ୍କ ମୃତ୍ୟୁ କେବଳ ଏକ ଦୁର୍ଘଟଣା ନା ଏହା ପଛରେ କୌଣସି ଷଡଯନ୍ତ୍ର ରହିଛି, ତାହାର ଖୋଳତାଡ଼ କରାଯାଉଛି। ଏହାସହ ତାଙ୍କୁ କାହିଁକି ନିର୍ମମ ଭାବେ ମାଡ଼ ମରାଯାଇଥିଲା, ପୋଲିସ ପକ୍ଷରୁ କୌଣସି ଅବହେଳା ହୋଇଥିଲା କି ନାହିଁ ଏବଂ ଗୁରୁତର ଅବସ୍ଥାରେ ତାଙ୍କୁ ଟ୍ରକରେ ହସ୍ପିଟାଲକୁ କାହିଁକି ନିଆଯାଇଥିଲା, ସେସବୁ ଦିଗର ଯାଞ୍ଚ କରାଯାଉଛି।
ଏହି ମାମଲାରେ ଦାଖଲ ହୋଇଥିବା ଏକ ଅଭିଯୋଗ ଆଧାରରେ ଏନଏଚଆରସି ତଦନ୍ତ ଆରମ୍ଭ କରିଛି। ଜୁନ୍ ୧ରୁ ୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ରହି ଟିମ୍ ବ୍ୟାପକ ତଦନ୍ତ କରିବ। ଏହାସହ ଟ୍ୱିନ୍ ସିଟି ପୋଲିସ କମିଶନର, ଡିସିପି ଏବଂ ଗୃହ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ଆୟୋଗ ସମ୍ମୁଖରେ ହାଜର ହେବାକୁ ନୋଟିସ ଜାରି କରାଯାଇଥିବା ଜଣାପଡ଼ିଛି। ବର୍ତ୍ତମାନ ଏହି ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆଣିବା ପାଇଁ ଏନଏଚଆରସିର ତଦନ୍ତ ଉପରେ ସମସ୍ତଙ୍କ ନଜର ରହିଛି।