ଭୁବନେଶ୍ୱର: ଅସହ୍ୟ ତାତି ଓ ଗ୍ରୀଷ୍ମ ପ୍ରବାହରେ ସନ୍ତୁଳି ହେଉଥିବା ଦେଶବାସୀଙ୍କ ପାଇଁ ଆସିଛି ଏକ ଆଶ୍ୱସ୍ତିକର ଖବର। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଜୁନ୍ ୪ ତାରିଖ ବେଳକୁ କେରଳ ଛୁଇଁବାର ସମ୍ଭାବନା ଥିବା ନେଇ ଭାରତୀୟ ପାଣିପାଗ ବିଭାଗ (IMD) ମଙ୍ଗଳବାର ଦିନ ସୂଚନା ଦେଇଛି। ଏହା ସହିତ ଦେଶରେ ବର୍ଷା ଋତୁର ଆନୁଷ୍ଠାନିକ ଆରମ୍ଭ ହେବାକୁ ଯାଉଛି।
ଆଇଏମଡିର ଆକଳନ ଅନୁସାରେ, ମୌସୁମୀ ବାୟୁ ଆଗକୁ ବଢ଼ିବା ପାଇଁ ପାଣିପାଗ ପରିସ୍ଥିତି ଏବେ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ଦକ୍ଷିଣ-ପଶ୍ଚିମ ଓ ଦକ୍ଷିଣ-ପୂର୍ବ ଆରବ ସାଗର, ଲାକ୍ଷାଦ୍ୱୀପ ଦ୍ୱୀପପୁଞ୍ଜ, କେରଳ ଓ ତାମିଲନାଡୁର କିଛି ଅଞ୍ଚଳ ସହିତ ବଙ୍ଗୋପ ସାଗରର ବିସ୍ତୃତ ଅଂଶରେ ମୌସୁମୀ ବାୟୁର ପ୍ରଭାବ ବଢ଼ିବାକୁ ଥିବା ନେଇ ପୂର୍ବାନୁମାନ କରାଯାଇଛି।
କେରଳରେ ମୌସୁମୀ ବାୟୁର ପ୍ରବେଶକୁ ଭାରତର ବର୍ଷା ଋତୁର ଆରମ୍ଭ ବୋଲି ଧରାଯାଏ। ଏହାପରେ ଧୀରେ ଧୀରେ ମୌସୁମୀ ବାୟୁ ଦେଶର ବିଭିନ୍ନ ରାଜ୍ୟକୁ ବ୍ୟାପିଥାଏ। ସାଧାରଣତଃ କେରଳ ଛୁଇଁବାର ପ୍ରାୟ ଏକ ସପ୍ତାହ ପରେ ମୌସୁମୀ ବାୟୁ ଓଡ଼ିଶାରେ ପହଞ୍ଚିଥାଏ। ତେଣୁ ଏବେ ଓଡ଼ିଶାବାସୀଙ୍କ ନଜର ମଧ୍ୟ ଏହାର ଅଗ୍ରଗତି ଉପରେ ରହିଛି।
ବିଶେଷକରି ଚାଷୀମାନଙ୍କ ପାଇଁ ଏହି ଖବର ବହୁତ ଗୁରୁତ୍ୱପୂର୍ଣ୍ଣ। କାରଣ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ହିଁ ଭାରତର କୃଷି ବ୍ୟବସ୍ଥାର ମେରୁଦଣ୍ଡ। ଆଇଏମଡି ଅନୁଯାୟୀ, ଦେଶ ତାହାର ବାର୍ଷିକ ବର୍ଷାର ପ୍ରାୟ ୭୫ରୁ ୮୦ ପ୍ରତିଶତ ଏହି ଚାରି ମାସର ମୌସୁମୀ ଋତୁରେ ପାଇଥାଏ। ଧାନ, ଡାଲି, ତୈଳବୀଜ ଭଳି ପ୍ରମୁଖ ଖରିଫ ଫସଲ ଚାଷ ସମ୍ପୂର୍ଣ୍ଣ ଭାବେ ଏହି ବର୍ଷା ଉପରେ ନିର୍ଭର କରିଥାଏ।
କେବଳ କୃଷି ନୁହେଁ, ଦେଶର ଅର୍ଥନୀତି, ଜଳସମ୍ପଦ ଏବଂ ବିଦ୍ୟୁତ ଉତ୍ପାଦନ ବ୍ୟବସ୍ଥା ମଧ୍ୟ ମୌସୁମୀ ବର୍ଷା ସହ ଜଡ଼ିତ। ତେଣୁ ପ୍ରତିବର୍ଷ ଏହାର ଆଗମନକୁ ନେଇ ସମସ୍ତଙ୍କ ମଧ୍ୟରେ ଉତ୍ସାହ ଦେଖାଯାଏ।
ଏପଟେ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଥିବା ଲୋକମାନେ ମଧ୍ୟ ବର୍ଷାର ପ୍ରଥମ ବୁନ୍ଦାକୁ ଅପେକ୍ଷା କରି ବସିଛନ୍ତି। କେରଳ ଦୁଆରେ ପହଞ୍ଚିଥିବା ମୌସୁମୀ ବାୟୁ ଏବେ କେତେ ଶୀଘ୍ର ଓଡ଼ିଶା ଓ ପୂର୍ବ ଭାରତରେ ପହଞ୍ଚିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ଯଦି ପାଣିପାଗ ପରିସ୍ଥିତି ଅନୁକୂଳ ରହେ, ତେବେ ଖୁବ୍ ଶୀଘ୍ର ବର୍ଷାରେ ଭିଜିପାରେ ଓଡ଼ିଶା।