ଅପପୁଷ୍ଟି ମୁକ୍ତ ଓଡ଼ିଶା ଗଠନ ଦିଗରେ ରାଜ୍ୟ ସରକାର ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟର ପ୍ରାୟ ୩୫ ହଜାର ସିଭିଅର ଅଣ୍ଡରୱେଟ୍ ଶିଶୁଙ୍କ ପୋଷଣ ସୁନିଶ୍ଚିତ କରିବା ପାଇଁ ଜଳଖିଆ ବାବଦରେ ଦିଆଯାଉଥିବା ଖର୍ଚ୍ଚକୁ ୮ ଟଙ୍କାରୁ ବଢ଼ାଇ ୧୨ ଟଙ୍କା କରାଯାଇଛି। ଫଳରେ ଏବେ ପ୍ରତିଦିନ ପ୍ରତ୍ୟେକ ଶିଶୁଙ୍କୁ ମୋଟ ୧୮ ଟଙ୍କା ମୂଲ୍ୟର ପୋଷଣଯୁକ୍ତ ଖାଦ୍ୟ ମିଳିବ। ଏହି ଯୋଜନା ପାଇଁ ସରକାର ନିଜସ୍ୱ ପାଣ୍ଠିରୁ ୧୨୬ କୋଟି ୮୩ ଲକ୍ଷ ଟଙ୍କା ବ୍ୟୟ କରିବେ।
ଏହା ସହ ଶିଶୁ ଜୀବନର ପ୍ରଥମ ୧୦୦୦ ଦିନର ପୋଷଣକୁ ଗୁରୁତ୍ୱ ଦେଇ ଏକ ଡିଜିଟାଲ ବୁକଲେଟ୍ ଉନ୍ମୋଚନ କରାଯାଇଛି। ମା’ର ଗର୍ଭରେ ଥିବା ୨୭୦ ଦିନରୁ ଆରମ୍ଭ କରି ଜନ୍ମ ପରେ ଦୁଇ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କ ପୋଷଣ, ସ୍ୱାସ୍ଥ୍ୟ ଓ ଯତ୍ନ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଏଥିରେ ସ୍ଥାନ ପାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, ଏହି ବୁକଲେଟ୍ ମା’ମାନଙ୍କୁ ସଚେତନ କରିବ ଏବଂ ପ୍ରସବଜନିତ ସମସ୍ୟା କମାଇବାରେ ସହାୟକ ହେବ। ୨୦୩୬ ସୁଦ୍ଧା ଅପପୁଷ୍ଟି ମୁକ୍ତ ଓଡ଼ିଶା ଗଢ଼ିବା ଲକ୍ଷ୍ୟରେ ବିଭାଗ ମିଶନ ମୋଡ୍ରେ କାମ କରୁଛି।
ଅନ୍ୟପଟେ, ସୁଭଦ୍ରା ଯୋଜନାର ହିତାଧିକାରୀଙ୍କ ପାଇଁ ମଧ୍ୟ ଆସିଛି ବଡ଼ ଖବର। ୨୧ରୁ ୩୫ ବର୍ଷ ବୟସର ୨୬ ପ୍ରତିଶତ ହିତାଧିକାରୀଙ୍କୁ ଅପ୍ସ୍କିଲିଂ ଟ୍ରେନିଂ ଦେଇ ଚାକିରି ଓ ଉଦ୍ୟୋଗୀ ହେବାର ସୁଯୋଗ ଦିଆଯିବ। ଆଇଆଇଏମ୍ ଦ୍ୱାରା ଚିହ୍ନଟ ହୋଇଥିବା ଏହି ମହିଳାମାନଙ୍କୁ ଅଧିକ ତାଲିମ ଦେଇ ସ୍ୱାବଲମ୍ବୀ କରାଯିବ। ସେହିପରି କେନ୍ଦ୍ର ସରକାରଙ୍କ ସେଲ୍ଫ ହେଲ୍ପ ଉଦ୍ୟୋଗୀ କାର୍ଯ୍ୟକ୍ରମରେ ପ୍ରତିବର୍ଷ ୧ ଲକ୍ଷ ମହିଳାଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି। ମହିଳା ସଶକ୍ତିକରଣ ଓ ଶିଶୁ ପୋଷଣ ଏହି ଦୁଇ କ୍ଷେତ୍ରରେ ସରକାରଙ୍କ ଏହି ପଦକ୍ଷେପ ନୂଆ ଆଶା ସୃଷ୍ଟି କରିଛି।\