ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନାରେ ଦିବ୍ୟାଙ୍ଗ ଯୁବକ ସୁଶାନ୍ତ ସାହୁଙ୍କ ସନ୍ଦିଗ୍ଧ ହାଜତ ମୃତ୍ୟୁ ଘଟଣା ଏବେ ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି। ପୋଲିସ ନିର୍ଯାତନା ଯୋଗୁଁ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗକୁ ଗମ୍ଭୀରତାର ସହ ନେଇ ଜାତୀୟ ମାନବାଧିକାର ଆୟୋଗ (NHRC) ଗଞ୍ଜାମ ଜିଲ୍ଲାପାଳ ଓ ଏସପିଙ୍କୁ କଡ଼ା ନୋଟିସ୍ ଜାରି କରିଛି। ଆସନ୍ତା ୩ ସପ୍ତାହ ମଧ୍ୟରେ ଘଟଣା ସମ୍ପର୍କିତ ସମ୍ପୂର୍ଣ୍ଣ ‘ଆକ୍ସନ୍ ଟେକେନ୍ ରିପୋର୍ଟ’ (ATR) ଦାଖଲ କରିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛି।
ହ୍ୟୁମାନ୍ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆ (HRF India) ଅଧ୍ୟକ୍ଷ ମନୋଜ ଜେନାଙ୍କ ପକ୍ଷରୁ ଦାଖଲ ହୋଇଥିବା ଅଭିଯୋଗ ଆଧାରରେ NHRC ଏହି ମାମଲାକୁ ବିଚାରକୁ ନେଇଛି। ଅଭିଯୋଗ ଅନୁଯାୟୀ, ଗତ ମେ ୩୧ ଓ ଜୁନ୍ ୧ ତାରିଖ ମଧ୍ୟରେ କବିସୂର୍ଯ୍ୟନଗର ଥାନାରେ ଅମାନବୀୟ ନିର୍ଯାତନାର ଶିକାର ହୋଇ ସୁଶାନ୍ତଙ୍କ ମୃତ୍ୟୁ ଘଟିଥିଲା।
ମାମଲାର ଗୁରୁତ୍ୱକୁ ଦୃଷ୍ଟିରେ ରଖି NHRC ଗଞ୍ଜାମ ପ୍ରଶାସନ ନିକଟରୁ ୧୪ଟି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଏବଂ ରିପୋର୍ଟ ମାଗିଛି। ଏଥିରେ ମୃତ୍ୟୁର ପରିସ୍ଥିତି, FIR କପି, ଆରେଷ୍ଟ ମେମୋ, ପରିବାରକୁ ଦିଆଯାଇଥିବା ସୂଚନା, ମେଡିକାଲ୍ ରେକର୍ଡ, ପୋଷ୍ଟମର୍ଟମ ରିପୋର୍ଟ, ଭିଡିଓ ରେକର୍ଡିଂ, ମାଜିଷ୍ଟ୍ରେଟ୍ ତଦନ୍ତ ରିପୋର୍ଟ ଓ ବିଭାଗୀୟ କାର୍ଯ୍ୟାନୁଷ୍ଠାନର ବିବରଣୀ ସାମିଲ ରହିଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ହାଜତ ମୃତ୍ୟୁ ଭଳି ସମ୍ବେଦନଶୀଳ ଘଟଣା ଘଟିବା ପରେ ନିୟମ ଅନୁସାରେ ୨୪ ଘଣ୍ଟା ମଧ୍ୟରେ NHRCକୁ କାହିଁକି ଅବଗତ କରାଯାଇନଥିଲା, ତାହାର ସ୍ପଷ୍ଟ କୈଫିୟତ ମଧ୍ୟ ଆୟୋଗ ମାଗିଛି। ଏହାସହ ଓଡ଼ିଶା ମାନବାଧିକାର ଆୟୋଗ ଏହି ଘଟଣାକୁ ସ୍ୱତଃପ୍ରବୃତ୍ତ ଭାବେ ବିଚାରକୁ ନେଇଛି କି ନାହିଁ, ତାହା ଯାଞ୍ଚ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଗଞ୍ଜାମରେ ତୀବ୍ର ଜନଆକ୍ରୋଶ ସୃଷ୍ଟି ହୋଇଥିବା ବେଳେ ଦକ୍ଷିଣାଞ୍ଚଳ ରେଞ୍ଜ ପକ୍ଷରୁ ଜଣେ ଆଇପିଏସ୍ ଅଧିକାରୀଙ୍କ ବଦଳି ସହ ତିନି ଜଣ ପୋଲିସ କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଛି। ଏବେ NHRCର ସିଧାସଳଖ ହସ୍ତକ୍ଷେପ ପରେ ଏହି ମାମଲା ନୂଆ ମୋଡ଼ ନେଇଥିବା ବେଳେ ନ୍ୟାୟ ପାଇଁ ପରିବାର ଓ ସାଧାରଣ ଲୋକଙ୍କ ଆଶା ଆହୁରି ବଢ଼ିଯାଇଛି।