ବଲାଙ୍ଗୀର: ଦିନ ସାରା ଖେଳକୁଦ, ହସଖୁସି ଓ ସାଙ୍ଗମାନଙ୍କ ସହ ମଜାମସ୍ତି ପରେ ଘରକୁ ଫେରୁଥିଲେ କିଛି ଯୁବ କ୍ରିକେଟ ଖେଳାଳି। କିନ୍ତୁ କିଏ ଜାଣିଥିଲା, ଘର ପହଞ୍ଚିବା ପୂର୍ବରୁ ରାସ୍ତାରେ ସେମାନଙ୍କ ପାଇଁ ଛକି ବସିଛି ମୃତ୍ୟୁ। କିଛି ସେକେଣ୍ଡ ଭିତରେ ସବୁକିଛି ବଦଳିଗଲା। ହସଖୁସିର ମୁହୂର୍ତ୍ତ ପାଲଟିଗଲା ଶୋକରେ। ଏକ ଦ୍ରୁତଗାମୀ ଅଜଣା ଗାଡ଼ି ଦୁଇ ଯୁବକଙ୍କ ଜୀବନ ନେଇଯିବା ସହ ଆଉ ଦୁଇଜଣଙ୍କୁ ଗୁରୁତର ଆହତ କରିଛି।
ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଅଞ୍ଚଳରେ। ଗତକାଲି (ସୋମବାର) ସନ୍ଧ୍ୟା ପ୍ରାୟ ୭ଟା ବେଳେ ଜାତୀୟ ରାଜପଥ-୫୯ର ଚାରଭଟା ନିକଟରେ ଏହି ଅଘଟଣ ଘଟିଥିଲା।
ମୃତକ ଦୁଇ ଯୁବକ ହେଲେ ଟିଟିଲାଗଡ଼ ସର୍ଗିଗୁଡ଼ା ଅଞ୍ଚଳର ୧୮ ବର୍ଷୀୟ ସୁବୁ କୁମ୍ଭାର ଏବଂ ବେଲଗାଁ ଗାଁର ୧୭ ବର୍ଷୀୟ ସାଗର ନାଗ। ଉଭୟ ସାଙ୍ଗମାନଙ୍କ ସହ ଚାରଭଟା ପଡ଼ିଆରେ କ୍ରିକେଟ ଖେଳିବା ପରେ ଘରକୁ ଫେରୁଥିଲେ। ସେତିକିବେଳେ ଏକ ଦ୍ରୁତଗାମୀ ଗାଡ଼ି ସେମାନଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଧକ୍କା ଏତେ ଜୋରଦାର ଥିଲା ଯେ ସୁବୁ ଓ ସାଗରଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଅନ୍ୟ ଦୁଇ ଯୁବକ ଗୁରୁତର ଆହତ ହୋଇ ଛଟପଟ ହେଉଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ପୋଲିସ ଓ ଆମ୍ବୁଲାନ୍ସକୁ ଖବର ଦେବା ସହ ଆହତମାନଙ୍କୁ ହସ୍ପିଟାଲ ପଠାଇଥିଲେ।
ଖବର ପାଇ ଟିଟିଲାଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତଦେହ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏହାସହ ସିସିଟିଭି ଫୁଟେଜ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଆଧାରରେ ଫେରାର ଗାଡ଼ିକୁ ଖୋଜିବା ପାଇଁ ପୋଲିସ ତନାଘନା ଚଳାଇଛି। ଏହି ଦୁର୍ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ହସୁଥିବା, ଖେଳୁଥିବା ଦୁଇ ଯୁବକଙ୍କ ଅକାଳ ମୃତ୍ୟୁ ପରିବାର ଓ ବନ୍ଧୁବାନ୍ଧବଙ୍କୁ ସ୍ତବ୍ଧ କରିଦେଇଛି।