ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବର୍ବରତା ତଥା ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ହତ୍ୟା ମାମଲାରେ ପୁଣି ଜଣେ ଅଭିଯୁକ୍ତ ଧରାପଡ଼ିଛି । ମୁଖ୍ୟ ଅଭିଯୁକ୍ତ ପ୍ରଦୀପ ମଙ୍ଗରାଜ ଓରଫ୍ ଦିପୁ (୪୬)କୁ ଢେଙ୍କାନାଳରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ।
ଗତକାଲି ବିଳମ୍ବିତ ରାତିରେ ପ୍ରଦୀପକୁ ଢେଙ୍କାନାଳରୁ ଗିରଫ କରାଯାଇଛି । ତାର ଘର ବାଲିଅନ୍ତା ବେଣୁପୁର ଗ୍ରାମରେ ବୋଲି କ୍ରାଇମବ୍ରାଞ୍ଚ ସୂଚନା ଦେଇଛି । ଏହି ମାମଲାରେ ମୃତକଙ୍କ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି ।
ଗତ ମାସ ୭ ତାରିଖରେ ବାଲିଅନ୍ତାରେ ଏକ ଦୁର୍ଘଟଣାକୁ ନେଇ ତୁମୁଳକାଣ୍ଡ ହୋଇଥିଲା । ମୃତ ସୌମ୍ୟରଞ୍ଜନ ଏବଂ ତାଙ୍କ ସାଙ୍ଗ ଓମ୍ ପ୍ରକାଶ ବାଇକରେ ଯାଉଥିବାବେଳେ ଦୁଇ ଜଣ ଝିଅ ଯାଉଥିବା ଏକ ସ୍କୁଟି ସହିତ ଦୁର୍ଘଟଣା ହୋଇଥିଲା । ଏହି ସମୟରେ ସୌମ୍ୟ ବାଇକରୁ ଓହ୍ଲାଇ ଜଣେ ଝିଅଙ୍କୁ ବାଡ଼ାବାଡ଼ି କରିବା ସହିତ ଦୁଷ୍କର୍ମ ଉଦ୍ୟମ କରିଥିବା ସେ ଅଭିଯୋଗ କରିଥିଲେ । ଏହା ପରେ ଉତ୍ତ୍ୟକ୍ତ ସ୍ଥାନୀୟ ଲୋକେ ସୌମ୍ୟଙ୍କୁ ପିଟିପିଟି ହତ୍ୟା କରିଥିଲେ ।
ଏହି ଘଟଣାରେ ଜାତୀୟ ମାନବାଧିକାର ଆୟୋଗ ମଧ୍ୟ ହସ୍ତକ୍ଷେପ କରିଛି । ଏନଏଚଆରସିର ଏକ ଟିମ୍ ଦିଲ୍ଲୀରୁ ଆସି ବାଲିଅନ୍ତା ଗସ୍ତ କରି ଯାଞ୍ଚ କରିଛି । ଏହା ସହିତ କ୍ରାଇମବ୍ରାଞ୍ଚଠାରୁ ମଧ୍ୟ ସମସ୍ତ ତଥ୍ୟ ସଂଗ୍ରହ କରିଛି ।