ଜଗତସିଂହପୁର ଜିଲ୍ଲାରେ ମଙ୍ଗଳବାର ମଦ ଦୋକାନ ବଣ୍ଟନକୁ ନେଇ ଉତ୍ସାହ ଚରମ ସୀମାରେ ପହଞ୍ଚିଛି। ଜିଲ୍ଲାର ବିଦେଶୀ ଓ ଦେଶୀ ମଦ ଦୋକାନ ପାଇଁ ଲଟେରି ଉଠାଣ ହେବାକୁ ଥିବାବେଳେ, ଶତାଧିକ ଆଶାୟୀଙ୍କ ନଜର ଏବେ ଏହି ଭାଗ୍ୟ ପରୀକ୍ଷା ଉପରେ ରହିଛି।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ସଭାଗୃହରେ ଏହି ଲଟେରି ପ୍ରକ୍ରିୟା ସମ୍ପନ୍ନ ହେବ। ଜିଲ୍ଲାପାଳ ସ୍ୱୟଂ ଲଟେରି ଉଠାଣ କରିବେ ବୋଲି ସୂଚନା ମିଳିଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଆବେଦନକାରୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିଛି।
ସୂଚନା ଅନୁଯାୟୀ, ଜିଲ୍ଲାର ମୋଟ ୩୭ଟି ମଦ ଦୋକାନ ପାଇଁ ଲଟେରି କରାଯିବ। ସେଥିମଧ୍ୟରୁ ୨୫ଟି ବିଦେଶୀ ମଦ ଦୋକାନ ଏବଂ ୧୨ଟି ଦେଶୀ ମଦ ଦୋକାନ ରହିଛି। ବିଦେଶୀ ମଦ ଦୋକାନ ପାଇଁ ଆବେଦନକାରୀମାନେ ୩ ଲକ୍ଷ ଟଙ୍କା ଓ ଦେଶୀ ମଦ ଦୋକାନ ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ରାଜକୋଷରେ ଜମା କରିଛନ୍ତି।
ସବୁଠାରୁ ଚର୍ଚ୍ଚାର ବିଷୟ ହେଉଛି, ମାତ୍ର ୩୭ଟି ଦୋକାନ ପାଇଁ ୫୦୦ରୁ ଅଧିକ ଆବେଦନକାରୀ ଦୌଡ଼ରେ ଅଛନ୍ତି। ତେଣୁ କାହା ଭାଗ୍ୟରେ ଖୋଲିବା ମଦ ଦୋକାନର ଦ୍ୱାର ଓ କିଏ ନିରାଶ ହେବ, ତାହାକୁ ନେଇ ଏବେ ସମସ୍ତଙ୍କ ଅପେକ୍ଷା। ଲଟେରି ଫଳାଫଳ ଉପରେ ଜିଲ୍ଲାର ବ୍ୟବସାୟୀ ମହଳର ନଜର ରହିଛି।