ଭୁବନେଶ୍ବର: ରାଜ୍ୟରେ ହାତୀ ଏବଂ ମଣିଷଙ୍କ ମଧ୍ୟରେ ଅଘୋଷିତ ଯୁଦ୍ଧ ଜାରି ରହିଛି। ଜଙ୍ଗଲ କ୍ଷୟ କାରଣରୁ ହାତୀମାନେ ଗାଁମୁହାଁ ହେଉଥିବା ବେଳେ ସେମାନଙ୍କର ହାବୁଡ଼ରେ ମଣିଷମାନେ ଜୀବନ ହରାଉଛନ୍ତି। ଏବେ ଚାରିଆଡ଼େ ଆମ୍ବ ଏବଂ ପଣସ ମହଜୁଦ ଥିବା ବେଳେ ହାତୀମାନେ ଏହାକୁ ଖାଇବା ପାଇଁ ଜଙ୍ଗଲ ଛାଡ଼ି ଗାଁ ଅଭିମୁଖେ ଆସୁଛନ୍ତି। ଅଭିଭକ୍ତ ଢେଙ୍କାନାଳ ଜିଲ୍ଲାରେ ହାତୀ ଉପଦ୍ରବ ଅଧିକ ଦେଖାଯାଉଛି। ମାତ୍ର ୨୪ ଘଣ୍ଟା ମଧ୍ୟରେ ହାତୀ ଆକ୍ରମଣରେ ଦୁଇ ଜଣ ଲୋକ ପ୍ରାଣ ହରାଇଛନ୍ତି।
ଗତକାଲି ଭୋର ସକାଳୁ ଜଣେ ଯୁବତୀ ହାତୀ ଆକ୍ରମଣର ଶିକାର ହୋଇଥିଲେ। ବଳିମ୍ବିତ ରାତିରେ ଆଉ ଜଣେ ଲୋକ ସମାନ ପରିସ୍ଥିତିରେ ପ୍ରାଣ ହାରିଛନ୍ତି। ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଡମୋଳ ଗାଁରେ ସୋମବାର ରାତିରେ ଅନେଇ ବେହେରା (୫୦)ଙ୍କୁ ହାତୀ ଆକ୍ରମଣ କରିଛି। ସେ ଜଣେ ଶ୍ରମିକ ଏବଂ ଇଟାଭାଟିରୁ କାମ ସାରି ରାତି ପ୍ରାୟ ୧୧ଟା ବେଳେ ସାଇକେଲରେ ଘରକୁ ଫେରୁଥିବା ବେଳେ ଗୋଠ ଛଡା ଦନ୍ତା ହାବୁଡେ ପଡିଯାଇଥିଲେ l ଦନ୍ତା ଆକ୍ରମଣର ଶିକାର ହେଲା ପରେ ତାଙ୍କୁ ପରିବାର ଲୋକଙ୍କ ସହଯୋଗରେ ପୁଲିସ, ବନ ବିଭାଗ କର୍ମଚାରୀ ଉଦ୍ଧାର କରି ପର୍ଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।
ଏହା ପୂର୍ବରୁ ଗତକାଲି ଭୋର ସକାଳୁ ଉଗ୍ର ହାତୀ ଜଣେ ଯୁବତୀଙ୍କର ଜୀବନ ନେଇଥିଲା। ହାତୀ ଆକ୍ରମଣରେ ଅନୁଗୁଳଜିଲ୍ଲା ଛେଣ୍ଡିପଦା ବ୍ଲକ ବାଗଡ଼ିଆ ଥାନା ନୂଆଗାଁ ଗ୍ରାମର ଆମ୍ବତୋଟାରେ ହାତୀଆକ୍ରମଣରେ ଅଙ୍ଗନୱାଡି ସହାୟିକା ପ୍ରମିଳା ରାଉଳ(୪୦) ମୃତ୍ୟୁ ହୋଇଥିଲା। ଜରିପାଳ ଗ୍ରାମର ପଙ୍କଜ ରାଉଳଙ୍କ ପତ୍ନୀ ପ୍ରମିଳା ବାପଘର ନୂଆଗାଁ ଗ୍ରାମକୁ ଆସିଥିଲେ। ଭୋର ୫ଟାରେ ପ୍ରମିଳା ଆମ୍ବ ଗୋଟେଇବାକୁ ଗାଁ ଆମ୍ବତୋଟାକୁ ଯାଇଥିଲେ। ସେଠାରେ ଗୋଠଖଣ୍ଡିଆ ଦନ୍ତା ଆକ୍ରମଣର ଶିକାର ହୋଇଥିଲେ।
ଅଧିକ ପଢ଼ନ୍ତୁ: ‘ଯଦି ମୁଁ ନଥାନ୍ତି, ତେବେ ତୁମେ ଜେଲରେ ଥାଆନ୍ତ’