ଭୁବନେଶ୍ୱର: ରାଜ୍ୟର ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ ଓ ବ୍ୟବସ୍ଥିତ କରିବା ଲକ୍ଷ୍ୟରେ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଆସନ୍ତା ୩ ମାସ ମଧ୍ୟରେ ୫ ହଜାର ନର୍ସିଂ ପଦବୀ ପୂରଣ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ଏହି ପଦବୀଗୁଡ଼ିକ ପାଇଁ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ।
ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ନର୍ସିଂ ପଦବୀ ସହିତ ମେଡିକାଲ କ୍ଷେତ୍ରରେ ଆହୁରି ୫ ହଜାର ବିଭିନ୍ନ ପଦବୀ ପୂରଣ ପାଇଁ ମଧ୍ୟ ଶୀଘ୍ର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ। ରାଜ୍ୟର ସରକାରୀ ଚିକିତ୍ସା ବ୍ୟବସ୍ଥାରେ ଜନଶକ୍ତି ଅଭାବ ଦୂର କରିବା ଏବଂ ରୋଗୀମାନଙ୍କୁ ଉନ୍ନତ ସେବା ଯୋଗାଇବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି।
ଅନ୍ୟପକ୍ଷରେ, ରାଜ୍ୟରେ ନିଯୁକ୍ତି ସୁଯୋଗ ବୃଦ୍ଧି ନେଇ ମଧ୍ୟ ବଡ଼ ଘୋଷଣା କରାଯାଇଛି। ଇଣ୍ଟେଲ ସହ ଏକ ଚୁକ୍ତିନାମା ସ୍ୱାକ୍ଷର ହୋଇଥିବା ବେଳେ ଆସନ୍ତା ୫ ବର୍ଷ ମଧ୍ୟରେ ଓଡ଼ିଶାରେ ୨୮ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେବ ବୋଲି ସୂଚନା ମିଳିଛି। ଏହି ନିବେଶ ଦ୍ୱାରା ରାଜ୍ୟର ଯୁବକ ଓ ଯୁବତୀଙ୍କ ପାଇଁ ବହୁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।