ବ୍ରହ୍ମଗିରି: ଆଉ କିଛି ଦିନ ପରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା । ଏହା ପରେ ବ୍ରହ୍ମଗିରି ଅଲାରନାଥ ପୀଠରେ ଅଣସର ଦର୍ଶନ ଆରମ୍ଭ ହେବ । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଆଜି କେନ୍ଦ୍ରାଞ୍ଚଳ ଆଇଜି ଡା. ସତ୍ୟଜିତ ନାୟକ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ।
ଏକ ସୁଗମ ଆଧ୍ୟାତ୍ମିକ ଅନୁଭୂତି ସୁନିଶ୍ଚିତ କରିବା ପାଇଁ, ଆଇଜି ପ୍ରବେଶ ଏବଂ ପ୍ରସ୍ଥାନ ସ୍ଥାନ , ଜରୁରୀକାଳୀନ ସ୍ଥାନାନ୍ତର ପଥ ଏବଂ ବ୍ରହ୍ମଗିରି ଏବଂ ଆଖପାଖରେ ପ୍ରବଳ ଯାନବାହାନ ଚଳାଚଳକୁ ନିୟନ୍ତ୍ରଣ କରିବା ପାଇଁ ଡିଜାଇନ୍ କରାଯାଇଥିବା ପାର୍କିଂ ଜୋନ୍ ସମୀକ୍ଷା କରିଥିଲେ । ଆଇଜି ବ୍ରହ୍ମଗିରି ପୋଲିସ ଏବଂ ମନ୍ଦିର ପ୍ରଶାସନ ମଧ୍ୟରେ ସମନ୍ୱୟ ରଖିବା ଉପର ଗୁରୁତ୍ୱ ଦେଇଛନ୍ତି । ଏହି ସମୟରେ ଆଇଜି ମନ୍ଦିର ସେବାୟତଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ ।
ଆଇଜି ଭିଡ଼ ନିୟନ୍ତ୍ରଣ ଏବଂ ପୋଲିସ ଫୋର୍ସ ନିୟୋଜନ ଉପରେ ଗୁରୁତ୍ୱ ଦେଇଛନ୍ତି । ଭିତର ଗର୍ଭ ଗୃହରେ ଭିଡ଼ ରୋକିବା ପାଇଁ ବ୍ୟବସ୍ଥିତ ଧାଡ଼ି ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଅପରାଧମୁକ୍ତ ପରିବେଶ ବଜାୟ ରଖିବା ପାଇଁ ପର୍ଯ୍ୟାପ୍ତ ପୋଲିସ କର୍ମଚାରୀ, ମୋବାଇଲ ପାଟ୍ରୋଲିଂ ୟୁନିଟ୍ ଏବଂ ସାଦା ପୋଷାକଧାରୀ ସୁରକ୍ଷା ଅଧିକାରୀଙ୍କୁ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଏହାର ମୁକାବିଲା ପାଇଁ ଭକ୍ତଙ୍କ ପାଇଁ ସ୍ୱଚ୍ଛ ପାନୀୟ ଜଳ ଶିବିର, ଧାଡ଼ି ହେବା ସ୍ଥାନରେ ଛାଇ ଏବଂ ତୁରନ୍ତ ପ୍ରାଥମିକ ଚିକିତ୍ସା ଶିବିର ସମେତ ଅତ୍ୟାବଶ୍ୟକୀୟ ମୌଳିକ ସୁବିଧା ସ୍ଥାପନ କରାଯିବ ।
ଯେଉଁ ଦିନ ଅଧିକ ଗହଳି ହେବାକୁ ଥିବ ସେହିଦିନ ଟ୍ରାଫିକ୍ ସମସ୍ୟାକୁ ରୋକିବା ପାଇଁ ବ୍ରହ୍ମଗିରିକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାଗୁଡ଼ିକେ ଭିଡ଼ ନିୟନ୍ତ୍ରଣ କରାଯିବ । ଏଥିପାଇଁ ବାହାରେ ମଧ୍ୟ ପାର୍କିଂ ବ୍ୟବସ୍ଥା କରାଯିବ ।