ସୁନ୍ଦରଗଡ଼: ଓଡ଼ିଶା-ଛତିଶଗଡ଼ ସୀମାନ୍ତର ଘଞ୍ଚ ଜାମଝରିଆ ଜଙ୍ଗଲ। ଦିନରେ ଯେଉଁଠି ନିରବତା ଛାଇ ରହେ, ରାତି ହେଲେ ସେଠାରେ ଜମୁଥିଲା ଲକ୍ଷ ଲକ୍ଷ ଟଙ୍କାର ଜୁଆ ଆସର। ହେଲେ ଏହି ଗୁପ୍ତ ଖେଳରେ ପଡ଼ିଲା ପୋଲିସର ନଜର। ଆଉ ତା’ପରେ ଘଟିଲା ଫିଲ୍ମୀ ଷ୍ଟାଇଲର ଅପରେସନ।
ଗୁପ୍ତ ସୂଚନା ଆଧାରରେ ସୁନ୍ଦରଗଡ଼ ଜିଲ୍ଲାର ହେମଗିର ପୋଲିସ ଓ ସଶସ୍ତ୍ର ବଳ ବିଳମ୍ବିତ ରାତିରେ ଜାମଝରିଆ ଜଙ୍ଗଲ ଭିତରେ ଚଢ଼ାଉ କରିଥିଲେ। ସୂଚନାକୁ ଗମ୍ଭୀରତାର ସହ ନେଇ ସୁନ୍ଦରଗଡ଼ ପୋଲିସ ଅଧୀକ୍ଷକ ଅମୃତ ପାଲ କୌରଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଇଥିଲା। ପୋଲିସ ଦଳ ପହଞ୍ଚିବା ମାତ୍ରେ ଜୁଆଡ଼ିମାନଙ୍କ ମଧ୍ୟରେ ଖେଳିଯାଇଥିଲା ଆତଙ୍କ। କେହି ଖସି ପଳାଇବାକୁ ଚେଷ୍ଟା କରିଥିବାବେଳେ, କେହି ଟଙ୍କା ଓ ସାମଗ୍ରୀ ଲୁଚାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ପୋଲିସର ଘେରାବନ୍ଦୀ ଭିତରୁ ଖସି ପାରିନଥିଲେ।
ଏହି ଅପରେସନରେ ମୋଟ ୨୬ ଜଣ ଜୁଆଡ଼ିଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ନଗଦ ୧୧ ଲକ୍ଷ ଟଙ୍କା ଜବତ ହୋଇଥିବାବେଳେ, ୩ଟି ଦାମୀ କାର୍, ୯ଟି ମୋଟରସାଇକେଲ ଏବଂ ୩୧ଟି ମୋବାଇଲ ଫୋନ ମଧ୍ୟ ପୋଲିସ ଜବତ କରିଛି। ଜବତ ସାମଗ୍ରୀର ପରିମାଣ ଦେଖି ଏହା ଏକ ବଡ଼ ଧରଣର ସଂଗଠିତ ଜୁଆ ଚକ୍ର ଥିବା ସନ୍ଦେହ କରାଯାଉଛି।
ସୁନ୍ଦରଗଡ଼ ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଲ କୌର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଜଙ୍ଗଲ ଭିତରେ ଦୀର୍ଘଦିନ ଧରି ବଡ଼ ଧରଣର ଜୁଆ ଖେଳ ଚାଲୁଥିବା ସୂଚନା ମିଳିବା ପରେ ଏହି ସ୍ୱତନ୍ତ୍ର ଅପରେସନ କରାଯାଇଥିଲା। ଗିରଫ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଜଙ୍ଗଲର ଅନ୍ଧାର ଭିତରେ ଚାଲିଥିବା ଏହି ଲକ୍ଷାଧିକ ଟଙ୍କାର ଜୁଆ ଖେଳ ଉପରେ ପୋଲିସର ଏହି ବଡ଼ କାର୍ଯ୍ୟାନୁଷ୍ଠାନ ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।