ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଏବେ ମୂଲ୍ୟାୟନକୁ ନେଇ ସାରା ଦେଶରେ ବିବାଦ ଦେଖାଦେଇଛି। ନିଜ ମାର୍କରେ ସନ୍ତୁଷ୍ଟ ନଥିବା ହଜାର ହଜାର ଛାତ୍ରଛାତ୍ରୀ ଉତ୍ତରଖାତାର ନକଲ ମାଗିବା ପରେ ବୋର୍ଡ ପକ୍ଷରୁ ଆଜିଠାରୁ ପୁନଃ-ମୂଲ୍ୟାୟନ ଏବଂ ମାର୍କ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯାଉଛି। ତେବେ ଏହି ପ୍ରକ୍ରିୟାର ପ୍ରଥମ ଦିନରେ ହିଁ ବୋର୍ଡର ଅଫିସିଆଲ୍ ପୋର୍ଟାଲ୍ରେ ବୈଷୟିକ ତ୍ରୁଟି ଦେଖିବାକୁ ମିଳିଛି।
ସାଇଟ୍ ମେଣ୍ଟେନାନ୍ସ ଯୋଗୁଁ ଛାତ୍ରଛାତ୍ରୀ ଚିନ୍ତାରେ
ଆଜିଠାରୁ CBSE ପୋର୍ଟାଲ୍ ଜରିଆରେ ଉତ୍ତରଖାତା ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବାର ଥିଲା। ମାତ୍ର ବର୍ତ୍ତମାନ ୱେବସାଇଟ୍ ଖୋଲିବା ମାତ୍ରେ ସେଠାରେ 'ମେଣ୍ଟେନାନ୍ସ କାର୍ଯ୍ୟ ଚାଲିଛି, ଖୁବଶୀଘ୍ର ପୋର୍ଟାଲ୍ ଉପଲବ୍ଧ ହେବ' ବୋଲି ବାର୍ତ୍ତା ଦେଖାଉଛି। ଫଳରେ ଆବେଦନ କରିବାକୁ ଚାହୁଁଥିବା ପରୀକ୍ଷାର୍ଥୀ ଓ ଅଭିଭାବକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଏଥର ରେକର୍ଡ ସଂଖ୍ୟକ ଖାତା ଦେଖିବାକୁ ଆବେଦନ
ବୋର୍ଡରୁ ମିଳିଥିବା ସରକାରୀ ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ମୂଲ୍ୟାୟନକୁ ନେଇ ସନ୍ଦେହରେ ଥିବା ପ୍ରାୟ ୪,୦୪,୩୧୯ ଜଣ ଛାତ୍ରଛାତ୍ରୀ ନିଜର ଖାତା ଦେଖିବା ପାଇଁ ଆବେଦନ କରିଛନ୍ତି। ଏହି ପରୀକ୍ଷାର୍ଥୀମାନେ ମୋଟ ୧୧,୩୧,୯୬୧ଟି ଉତ୍ତରଖାତାର ଡିଜିଟାଲ୍ କପି ମାଗିଛନ୍ତି। ବୋର୍ଡ ଏପର୍ଯ୍ୟନ୍ତ ପ୍ରାୟ ୮.୯୮ ଲକ୍ଷ ଉତ୍ତରଖାତା ଡିଜିଟାଲ୍ ମାଧ୍ୟମରେ ଉପଲବ୍ଧ କରାଇ ସାରିଛି। ବିଗତ ବର୍ଷଗୁଡ଼ିକ ତୁଳନାରେ ଏହି ସଂଖ୍ୟା ଯଥେଷ୍ଟ ଅଧିକ ହୋଇଥିବାରୁ, ଚଳିତ ବର୍ଷ ମୂଲ୍ୟାୟନକୁ ନେଇ ପିଲାଙ୍କ ମଧ୍ୟରେ ଥିବା ଅସନ୍ତୋଷ ସ୍ପଷ୍ଟ ବାରି ହୋଇପଡ଼ୁଛି।
କାଠଗଡ଼ାରେ OSM ବ୍ୟବସ୍ଥା: ଛାତ୍ରଛାତ୍ରୀଙ୍କ ସଂଗୀନ ଅଭିଯୋଗ
CBSE ଚଳିତ ବର୍ଷ ଡିଜିଟାଲ୍ ପଦ୍ଧତିରେ ଖାତା ଦେଖିବା ପାଇଁ ଅନ୍-ସ୍କ୍ରିନ୍ ମାର୍କିଂ (OSM) ସିଷ୍ଟମ୍ ଆପଣାଇଥିଲା। ଏଥିରେ ସ୍କାନ କରାଯାଇଥିବା ଖାତାକୁ କମ୍ପ୍ୟୁଟର ସ୍କ୍ରିନ୍ରେ ପରୀକ୍ଷକମାନେ ମୂଲ୍ୟାୟନ କରିଥିଲେ। ବୋର୍ଡ ଏହାକୁ ସ୍ୱଚ୍ଛ ଓ ଦ୍ରୁତ ପ୍ରକ୍ରିୟା ବୋଲି କହୁଥିଲେ ମଧ୍ୟ, ରେଜଲ୍ଟ ପରେ ଏହା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଅନେକ ଛାତ୍ରଛାତ୍ରୀଙ୍କ ଦାବି ଅନୁଯାୟୀ, ସେମାନଙ୍କୁ ଆଶାଠାରୁ ବହୁତ କମ୍ ମାର୍କ ମିଳିଛି। କେତେକ ପରୀକ୍ଷାର୍ଥୀ ଅଭିଯୋଗ କରିଛନ୍ତି ଯେ ସ୍କାନିଂ ଜନିତ ସମସ୍ୟା ଯୋଗୁଁ କିଛି ପ୍ରଶ୍ନର ଉତ୍ତର ଯାଞ୍ଚ ହିଁ କରାଯାଇ ନାହିଁ।ସୋସିଆଲ ମିଡିଆରେ ମଧ୍ୟ ଏଭଳି ଅସଙ୍ଗତିର କିଛି ସ୍କ୍ରିନସଟ୍ ଭାଇରାଲ ହେବାରେ ଲାଗିଛି।