ପଞ୍ଚକୁଲା: ଭାରତର ସାମରିକ ଶକ୍ତି କ୍ଷେତ୍ରରେ ଯୋଡ଼ି ହୋଇଛି ଆଉ ଏକ ନୂଆ ସଫଳତା। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ରବିବାର ହରିୟାଣାରେ ଏକ ଅତ୍ୟନ୍ତ ବିଧ୍ୱଂସକାରୀ 'ହାଇ କ୍ୟାଲିବର ବମ୍'ର ସଫଳ ପରୀକ୍ଷଣ କରିଛି। ହରିୟାଣାର ପଞ୍ଚକୁଲା ଜିଲ୍ଲା ରାମଗଡ଼ ସ୍ଥିତ ଡିଆରଡିଓର 'ଟର୍ମିନାଲ ବାଲିଷ୍ଟିକ୍ସ ରିସର୍ଚ୍ଚ ଲାବୋରେଟୋରୀ' (TBRL) ପରିସରରେ ଏହି ହାଇ-ଟେକ୍ ବୋମାର ବ୍ଲାଷ୍ଟ୍ ଟେଷ୍ଟିଂ କରାଯାଇଛି।
ବାୟୁସେନା ଅଧିକାରୀଙ୍କ ଉପସ୍ଥିତିରେ ପରୀକ୍ଷଣ
ଭାରତୀୟ ବାୟୁସେନା (IAF)ର ବରିଷ୍ଠ ଅଧିକାରୀମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଏବଂ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏହି ପରୀକ୍ଷଣ ସମ୍ପନ୍ନ ହୋଇଛି। ପ୍ରତିରକ୍ଷା ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ଟେଷ୍ଟ ସମ୍ପୂର୍ଣ୍ଣ ଭାବେ ସଫଳ ରହିଛି। ପରୀକ୍ଷଣ ସମୟରେ ନିର୍ଦ୍ଧାରିତ ସମସ୍ତ ସୁରକ୍ଷା ମାନଦଣ୍ଡ ଏବଂ ପ୍ରୋଟୋକଲ୍କୁ କଡ଼ାକଡ଼ି ଭାବେ ପାଳନ କରାଯାଇଥିଲା। ଏହି ନୂତନ ଅସ୍ତ୍ର ବାୟୁସେନାର ଆକ୍ରମଣ କ୍ଷମତାକୁ ଆହୁରି ଦ୍ୱିଗୁଣିତ କରିବ।
ଜାରି ହୋଇଥିଲା ହାଇ ଆଲର୍ଟ
ଏହି ଶକ୍ତିଶାଳୀ ବୋମାର ବିସ୍ଫୋରଣକୁ ଦୃଷ୍ଟିରେ ରଖି ଟିବିଆରଏଲ୍ (TBRL) ସମେତ ପଞ୍ଚକୁଲା ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପୋଲିସ ପକ୍ଷରୁ ସଂପୃକ୍ତ ଅଞ୍ଚଳରେ ପୂର୍ବରୁ ହିଁ ହାଇ ଆଲର୍ଟ ଜାରି କରାଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ଲାବୋରେଟୋରୀର ଆଖପାଖ ଅଞ୍ଚଳ ଉପରେ କଡ଼ା ନଜର ରଖାଯାଇଥିଲା।
୨ କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳ କରାଯାଇଥିଲା ସିଲ୍
ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ, ବୋମାର ଛୋଟ ଛୋଟ ଖଣ୍ଡ ବା ଧାତବ ଅଂଶ ପ୍ରାୟ ଦେଢ଼ କିଲୋମିଟର ଦୂରତା ପର୍ଯ୍ୟନ୍ତ ଛିଟିକି ଯିବାର ଆଶଙ୍କା ଥିଲା। ଏହାକୁ ଆଖିରେ ରଖି ପ୍ରଶାସନ ପକ୍ଷରୁ TBRL ଆଖପାଖର ୨ କିଲୋମିଟର ପରିଧିକୁ ଅତି ସମ୍ବେଦନଶୀଳ ଅଞ୍ଚଳ ଭାବେ ଘୋଷଣା କରାଯାଇଥିଲା।
ଏଥିସହ ନିକଟବର୍ତ୍ତୀ ଭାନୁ ଏବଂ ବିଲ୍ଲା ଗ୍ରାମର ବାସିନ୍ଦାମାନଙ୍କୁ ସୁରକ୍ଷା ସମ୍ବନ୍ଧୀୟ ସ୍ୱେଚ୍ଛାକୃତ ନିର୍ଦ୍ଦେଶାବଳୀ ଜାରି କରାଯାଇ ଅଧିକ ସତର୍କ ରହିବାକୁ ପରାମର୍ଶ ଦିଆଯାଇଥିଲା। ସଫଳ ପରୀକ୍ଷଣ ପରେ ପ୍ରଶାସନ ଏବଂ ବୈଜ୍ଞାନିକମାନେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି।