ନେପିଡ୍: ଭାରତ ଗସ୍ତରେ ମିଆଁମାର ରାଷ୍ଟ୍ରପତି ଥିବା ସମୟରେ ମିଆଁମାରରୁ ଏକ ବଡ଼ ଧରଣର ଦୁଃଖଦ ଖବର ସାମ୍ନାକୁ ଆସିଛି। ମିଆଁମାରର ଏକ ଗ୍ରାମରେ ଘଟିଥିବା ଏକ ଶକ୍ତିଶାଳୀ ବିସ୍ଫୋରଣରେ ଅତିକମରେ ୫୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୦ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି। ଆନ୍ତର୍ଜାତୀୟ ଗଣମାଧ୍ୟମ ବିବିସିର ରିପୋର୍ଟ ଅନୁଯାୟୀ, ମିଆଁମାରର ଶାନ୍ ରାଜ୍ୟ ଅନ୍ତର୍ଗତ ନାମଖାମ ଟାଉନସିପ୍ର କୌଙ୍ଗ ତାତ୍ ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ୨୫ ଜଣ ମହିଳା ଏବଂ ୩୦ ଜଣ ପୁରୁଷ ସାମିଲ ଅଛନ୍ତି।
ଖଣି ବିସ୍ଫୋରକରୁ ଦୁର୍ଘଟଣା!
ସୂଚନା ଅନୁଯାୟୀ, ରବିବାର ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ଏହି ବିସ୍ଫୋରଣ ଘଟିଥିଲା। ସ୍ଥାନୀୟ ଅଞ୍ଚଳକୁ ନିଜ ନିୟନ୍ତ୍ରଣରେ ରଖିଥିବା ବିଦ୍ରୋହୀ ଗୋଷ୍ଠୀଙ୍କ ପକ୍ଷରୁ କୁହାଯାଇଛି ଯେ, ପଥର ଖଣି ଏବଂ ଖଣି ଖନନ ପାଇଁ ଗଚ୍ଛିତ ରଖାଯାଇଥିବା ହାଇ-କ୍ୟାଲିବର ବିସ୍ଫୋରକ ସାମଗ୍ରୀରେ ହଠାତ୍ ଆକସ୍ମିକ ଭାବେ ବ୍ଲାଷ୍ଟ୍ ହୋଇଥିଲା। ଏହି ଘଟଣାରେ ୬ ଜଣ ଶିଶୁଙ୍କ ସହ ୪୬ ଜଣ ପ୍ରାଣ ହରାଇଥିବା ପ୍ରାଥମିକ ଉଦ୍ଧାରକାରୀ ଦଳ ସୂଚନା ଦେଇଛନ୍ତି। ତେବେ ଅନ୍ୟ ଜଣେ ଉଦ୍ଧାରକାରୀଙ୍କ ସୂଚନା ଅନୁସାରେ ମୃତ୍ୟୁ ସଂଖ୍ୟା ୫୯କୁ ବୃଦ୍ଧି ପାଇଛି।
ଧ୍ୱଂସସ୍ତୂପ ତଳେ ପୋତି ହୋଇ ରହିଛି ଶବ
ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଏହାର ପ୍ରକମ୍ପନରେ ଗ୍ରାମର ଅନେକ ଘର ସମ୍ପୂର୍ଣ୍ଣ ଭାଙ୍ଗି ମାଟିରେ ମିଶି ଯାଇଛି। ସୁରକ୍ଷା ଦୃଷ୍ଟିରୁ ନାମ ଗୋପନ ରଖି ଜଣେ ଉଦ୍ଧାରକାରୀ କହିଛନ୍ତି ଯେ, କ୍ଷତିଗ୍ରସ୍ତ ହୋଇଥିବା ଘରଗୁଡ଼ିକର ଧ୍ୱଂସସ୍ତୂପ ତଳେ ଆହୁରି ଅନେକ ସବ ପୋତି ହୋଇ ରହିଥିବା ଆଶଙ୍କା କରାଯାଉଛି। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯେଉଁଥିରୁ କେତେକଙ୍କ ଅବସ୍ଥା ଅତି ସଂକଟାପନ୍ନ ରହିଛି।
ଦାୟୀ କଲେ ବିଦ୍ରୋହୀ ଗୋଷ୍ଠୀ
ମିଆଁମାରର ଅନ୍ୟତମ ଶକ୍ତିଶାଳୀ ଜାତିଗତ ସଂଖ୍ୟାଲଘୁ ସଶସ୍ତ୍ର ଗୋଷ୍ଠୀ ‘ତାଆଙ୍ଗ ନ୍ୟାସନାଲ ଲିବରେସନ ଆର୍ମି’ (TNLA) ଏକ ବିବୃତ୍ତି ଜାରି କରି କହିଛି ଯେ, ଏହି ବିସ୍ଫୋରକ ସାମଗ୍ରୀ ସେମାନଙ୍କର ଅର୍ଥନୈତିକ ବିଭାଗର ଥିଲା। ମିଆଁମାରରେ ସେନା ଶାସନ ବିରୋଧରେ ଅଭିଯାନ ଚଳାଇବା ଏବଂ ନିଜର ଆର୍ଥିକ ସ୍ଥିତି ମଜବୁତ କରିବା ପାଇଁ ଏହି ବିଦ୍ରୋହୀ ସଂଗଠନଗୁଡ଼ିକ ଦୁର୍ଲଭ ଖଣିଜ ପଦାର୍ଥ ଖନନ ଉପରେ ନିର୍ଭର କରନ୍ତି। କିନ୍ତୁ ସୁରକ୍ଷା ଉପକରଣର ଅଭାବ ଯୋଗୁଁ ଏଭଳି ବଡ଼ ଦୁର୍ଘଟଣା ଘଟିଛି। ବିସ୍ଫୋରଣର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଚାଲିଥିବା ସଂଗଠନ କହିଛି। ଗତ ୨୦୨୧ ମସିହାରେ ମିଆଁମାର ସେନା ଦ୍ୱାରା ତଖ୍ତାପଲଟ୍ ହେବା ପରେ ଦେଶରେ ଗୃହଯୁଦ୍ଧ ପରିସ୍ଥିତି ଲାଗି ରହିଛି।