ନୂଆଦିଲ୍ଲୀ (ବ୍ୟୁରୋ): ଭାରତୀୟ ବାୟୁସେନା (IAF) ର ସାମରିକ କ୍ଷମତାକୁ ବହୁଗୁଣିତ କରିବା ପାଇଁ ୧୧୪ଟି ନୂଆ ରାଫେଲ୍ ଯୁଦ୍ଧବିମାନ କ୍ରୟ କରିବାକୁ ଯୋଜନା ପ୍ରସ୍ତୁତ କରାଯାଉଛି। ଏହି ପ୍ରକ୍ରିୟାକୁ ଆହୁରି ତେଗବାନ କରିବା ପାଇଁ ବାୟୁସେନା ମୁଖ୍ୟ ଏୟାର୍ ଚିଫ୍ ମାର୍ଶଲ୍ ଏ. ପି. ସିଂହ ତିନି ଦିନିଆ ଫ୍ରାନ୍ସ ଗସ୍ତରେ ଯାଇଛନ୍ତି। ଏହି ଗସ୍ତ କାଳରେ ସେ ରାଫେଲ୍ ନିର୍ମାଣକାରୀ ସଂସ୍ଥା 'ଦାସୋ ଏଭିଏସନ' (Dassault Aviation) ର ବରିଷ୍ଠ ଅଧିକାରୀମାନଙ୍କୁ ଭେଟି ସମ୍ଭାବ୍ୟ ଚୁକ୍ତି ଏବଂ ଏହାର ବୈଷୟିକ ଦିଗ ଉପରେ ଆଲୋଚନା କରିବେ। ସୂତ୍ର ଅନୁଯାୟୀ, ଭାରତ ଖୁବ୍ଶୀଘ୍ର ଏହି ୧୧୪ଟି ଯୁଦ୍ଧବିମାନ କ୍ରୟ ପାଇଁ ଆନୁଷ୍ଠାନିକ ଅନୁରୋଧ ପତ୍ର (Letter of Request - LoR) ଜାରି କରିପାରେ।
ବାୟୁସେନାର ଯୁଦ୍ଧ କ୍ଷମତା ହେବ ସୁଦୃଢ଼
ଏହି ମେଗା ପ୍ରତିରକ୍ଷା ଚୁକ୍ତି ଭାରତୀୟ ବାୟୁସେନାର ଯୁଦ୍ଧ କ୍ଷମତାକୁ ମଜଭୁତ କରିବା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି। ବର୍ତ୍ତମାନ ଭାରତୀୟ ବାୟୁସେନା ପାଖରେ ରାଫେଲ୍ ବିମାନର ଦୁଇଟି ସ୍କ୍ୱାଡ୍ରନ୍ ସେବାରେ ଅଛନ୍ତି, ଯାହା ଅମ୍ବାଲା ଏବଂ ହାସିମାରା ଏୟାରବେସ୍ରେ ମୁତୟନ ଅଛନ୍ତି। ଏହି ୧୧୪ଟି ନୂଆ ଯୁଦ୍ଧବିମାନ କ୍ରୟ ବାୟୁସେନାର ବହୁପ୍ରତିକ୍ଷିତ ଏମ୍ଆର୍ଏଫ୍ଏ (Multi Role Fighter Aircraft - MRFA) ପ୍ରକଳ୍ପର ଏକ ପ୍ରମୁଖ ଅଂଶ ଅଟେ। ବାୟୁସେନା ପାଇଁ ଏହି ସବୁ ୪.୫ ଜେନେରେସନ୍ର ଆଧୁନିକ ମଲ୍ଟିରୋଲ୍ ଯୁଦ୍ଧବିମାନ କ୍ରୟ କରାଯିବ। ପ୍ରତିରକ୍ଷା ସୂତ୍ର ଅନୁଯାୟୀ, ସରକାର ଏହି କ୍ରୟ ପ୍ରକ୍ରିୟା ପାଇଁ ଲେଟର ଅଫ୍ ରିକ୍ୱେଷ୍ଟ (LoR) ପ୍ରସ୍ତୁତ କରିସାରିଛନ୍ତି ଏବଂ ଆସନ୍ତା କିଛି ସପ୍ତାହ ମଧ୍ୟରେ ଏହାକୁ ଫ୍ରାନ୍ସକୁ ପଠାଯିବ। ଏହି ସମ୍ପୂର୍ଣ୍ଣ ଡିଲ୍ର ଆନୁମାନିକ ମୂଲ୍ୟ ପ୍ରାୟ ୩.୨୫ ଲକ୍ଷ କୋଟି ଟଙ୍କା ବୋଲି କୁହାଯାଉଛି।
୯୦ଟି ଫାଇଟର ଜେଟ୍ ଭାରତରେ ନିର୍ମାଣ କରିବାକୁ ପ୍ରସ୍ତୁତି
'ମେକ୍ ଇନ୍ ଇଣ୍ଡିଆ' (Make-in-India) ଅଭିଯାନକୁ ବଡ଼ ପ୍ରୋତ୍ସାହନ ଦେଇ ଏହି ଚୁକ୍ତି ଅଧୀନରେ ୧୧୪ଟି ରାଫେଲ୍ ଯୁଦ୍ଧବିମାନ ମଧ୍ୟରୁ ପ୍ରାୟ ୯୦ଟି ବିମାନ ଭାରତରେ ହିଁ ନିର୍ମାଣ କରାଯିବ। ଏହି ବିମାନଗୁଡ଼ିକ ଫ୍ରାନ୍ସର ଦାସୋ ଏଭିଏସନ ଏବଂ ଏକ ଭାରତୀୟ କମ୍ପାନୀର ମିଳିତ ସହଯୋଗରେ ପ୍ରସ୍ତୁତ ହେବ। ବାକି ୨୪ଟି ବିମାନ ଫ୍ରାନ୍ସରୁ ସମ୍ପୂର୍ଣ୍ଣ ପ୍ରସ୍ତୁତ (Fly-away) ଅବସ୍ଥାରେ ଭାରତ ଆସିବ। ଏହି ସମସ୍ତ ବିମାନରେ ପ୍ରାୟ ୫୦% ସ୍ୱଦେଶୀ (ଭାରତୀୟ) ପାର୍ଟସ୍ ବ୍ୟବହାର କରାଯିବାର ଆଶା ରହିଛି।
ନୌସେନା ପାଇଁ ମଧ୍ୟ ଆସିବ 'ରାଫେଲ୍ ମେରିନ୍'
ଏହି ୧୧୪ଟି ରାଫେଲ୍ ଜେଟ୍ ଚୁକ୍ତି ବ୍ୟତୀତ, ଭାରତୀୟ ନୌସେନା (Indian Navy) ମଧ୍ୟ ନିଜ ପାଇଁ ସ୍ୱତନ୍ତ୍ର ଭାବେ ୨୬ଟି 'ରାଫେଲ୍ ମେରିନ୍' ଯୁଦ୍ଧବିମାନ କ୍ରୟ କରୁଛି। ଏହି ଡିଲ୍ ପାଇଁ ଗତ ବର୍ଷ ୨୮ ଏପ୍ରିଲରେ ବୁଝାମଣା ସ୍ୱାକ୍ଷରିତ ହୋଇଥିଲା। ସୂଚନାଯୋଗ୍ୟ ଯେ, ଭାରତୀୟ ବାୟୁସେନା ପୂର୍ବରୁ ସେପ୍ଟେମ୍ବର ୨୦୧୬ ର ଆନ୍ତଃ-ସରକାରୀ ଚୁକ୍ତି ଅନୁଯାୟୀ କ୍ରୟ କରାଯାଇଥିବା ୩୬ଟି ରାଫେଲ୍ ଯୁଦ୍ଧବିମାନର ସଫଳ ପରିଚାଳନା କରୁଛି।