ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ଖରା ତାତିରୁ କିଛିଟା ଆଶ୍ୱସ୍ତି ଦେଇଛି କାଳବୈଶାଖୀ ବର୍ଷା। କିନ୍ତୁ ଏହି ଆଶ୍ୱସ୍ତି ସହ ଆସିଛି ସତର୍କତାର ସନ୍ଦେଶ। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଆଜି ପାଇଁ (ସୋମବାର) ୨ଟି ଜିଲ୍ଲା କନ୍ଧମାଳ ଓ ଗଜପତି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି। ଏହି ଦୁଇ ଜିଲ୍ଲାରେ ପ୍ରବଳ ବର୍ଷା, ଘଡ଼ଘଡ଼ି ସହ ବଜ୍ରପାତ ଏବଂ ଝଡ଼ୋ ପବନର ସମ୍ଭାବନା ରହିଥିବାରୁ ସାଧାରଣ ଲୋକଙ୍କୁ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି।
ଏହା ସହିତ ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼ ଓ ବୌଦ୍ଧ ଏହି ୫ଟି ଜିଲ୍ଲାଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଅଞ୍ଚଳରେ ବଜ୍ରପାତ ସହ ତୀବ୍ର ବର୍ଷା ଓ ପବନ ଜନଜୀବନକୁ ପ୍ରଭାବିତ କରିପାରେ। ଅନ୍ୟପଟେ ବାଲେଶ୍ୱର, ଝାରସୁଗୁଡ଼ା, ସମ୍ବଲପୁର, କଳାହାଣ୍ଡି, କୋରାପୁଟ, ପୁରୀ, କଟକ ଓ ଖୋର୍ଦ୍ଧା ସମେତ ୧୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଜୁନ୍ ୪ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀର ପ୍ରଭାବ ଜାରି ରହିବ। ଫଳରେ ବିଭିନ୍ନ ସ୍ଥାନରେ ବର୍ଷା ସହ ଘଡ଼ଘଡ଼ି ଓ ବଜ୍ରପାତ ଦେଖାଦେବାର ସମ୍ଭାବନା ରହିଛି। ଏହି ବର୍ଷା ତାପମାତ୍ରାକୁ କିଛି ମାତ୍ରାରେ ନିୟନ୍ତ୍ରଣ କରୁଥିଲେ ମଧ୍ୟ ବିପଦର ଆଶଙ୍କାକୁ ଅଣଦେଖା କରାଯାଇପାରିବ ନାହିଁ।
ରବିବାର ରାଜ୍ୟରେ ଖରାର ପ୍ରଭାବ ମଧ୍ୟ ସ୍ପଷ୍ଟ ଥିଲା। ବୌଦ୍ଧରେ ସର୍ବାଧିକ ୪୧ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ ହୋଇଥିବାବେଳେ ଖୋର୍ଦ୍ଧାରେ ପାରଦ ୪୦ ଡିଗ୍ରୀ ଛୁଇଁଥିଲା। ନୟାଗଡ଼, ଟିଟିଲାଗଡ଼, ନୂଆପଡ଼ା ଓ ବଲାଙ୍ଗୀରରେ ମଧ୍ୟ ତାପମାତ୍ରା ୩୯ ଡିଗ୍ରୀ ଉପରେ ରହିଥିଲା। ଅନ୍ୟପଟେ ଗୋପାଳପୁରରେ ସର୍ବନିମ୍ନ ୩୧.୯ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା। ତେଣୁ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବଜ୍ରପାତ ଓ ଝଡ଼ ସମୟରେ ଘରୁ ବାହାରକୁ ନ ବାହାରିବା, ଗଛ ତଳେ ଆଶ୍ରୟ ନ ନେବା ଏବଂ ପାଣିପାଗ ବିଭାଗର ସତର୍କ ସୂଚନା ଉପରେ ନଜର ରଖିବା ହିଁ ସବୁଠାରୁ ସୁରକ୍ଷିତ ପଦକ୍ଷେପ ହେବ।