ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୬ର ରୋମାଞ୍ଚକର ସିଜିନ ଶେଷ ହୋଇଛି। ଗୁଜରାଟ ଟାଇଟନ୍ସକୁ ହରାଇ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦ୍ୱିତୀୟ ଥର ପାଇଁ ଚାମ୍ପିଅନ୍ ଟ୍ରଫି ନିଜ ନାଁରେ କରିଛି। ଆଇପିଏଲ୍ ମହାକୁମ୍ଭ ସରିବା ପରେ ଏବେ ପୁଣି ଥରେ ଆନ୍ତର୍ଜାତୀୟ କ୍ରିକେଟ୍ର ମଜା ନେବାକୁ ପ୍ରସ୍ତୁତ ହେଉଛନ୍ତି କ୍ରିକେଟ୍ ପ୍ରେମୀ। ବିଗତ ଦୁଇ ମାସ ଧରି ଆଇପିଏଲ୍ରେ ପରସ୍ପର ବିପକ୍ଷରେ ଲଢ଼ୁଥିବା ବିରାଟ କୋହଲି ଓ ଶୁଭମନ ଗିଲ୍ଙ୍କ ଭଳି ତାରକା ଖେଳାଳିମାନେ ଏବେ ପୁଣି ଥରେ ନୀଳ ଜର୍ସିରେ ଧମାଲ୍ କରିବାକୁ ଯାଉଛନ୍ତି। ଭାରତୀୟ ଦଳର ଆଗାମୀ ମ୍ୟାଚ୍ ପାଇଁ ଫ୍ୟାନ୍ସଙ୍କୁ ଅଧିକ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଆସନ୍ତୁ ଜାଣିବା କେବେ ଏବଂ କେଉଁ ଦଳ ସହ ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ।
ଆଫଗାନିସ୍ତାନ ବିପକ୍ଷରୁ ଆରମ୍ଭ ହେବ ଅଭିଯାନ
ଟିମ୍ ଇଣ୍ଡିଆର ଆଗାମୀ ଲଢ଼େଇ ଆଫଗାନିସ୍ତାନ ସହ ହେବାକୁ ଯାଉଛି। ଭାରତ ଗସ୍ତରେ ଆସୁଥିବା ଆଫଗାନିସ୍ତାନ ଦଳ ଏଠାରେ ଏକମାତ୍ର ଟେଷ୍ଟ ଏବଂ ୩ଟି ଦିନିକିଆ ମ୍ୟାଚ୍ର ସିରିଜ୍ ଖେଳିବ। ଆସନ୍ତା ଜୁନ୍ ୬ ରୁ ୧୦ ତାରିଖ ମଧ୍ୟରେ ନ୍ୟୁ ଚଣ୍ଡୀଗଡ଼ ଠାରେ ଏହି ଏକମାତ୍ର ଟେଷ୍ଟ ମ୍ୟାଚ୍ ଖେଳାଯିବ। ପ୍ରତିଦିନ ସକାଳ ୯:୩୦ରୁ ଖେଳ ଆରମ୍ଭ ହେବ। ଏହି ଟେଷ୍ଟ ମ୍ୟାଚ୍ ପାଇଁ ଶୁଭମନ ଗିଲ୍ଙ୍କୁ ଅଧିନାୟକ ଏବଂ କେଏଲ୍ ରାହୁଲଙ୍କୁ ଉପ-ଅଧିନାୟକ ଦାୟିତ୍ୱ ମିଳିଛି। ଏହାସହ ମାନବ ସୁଥାର, ଗୁରନୁର ବ୍ରାର ଏବଂ ହର୍ଷ ଦୁବେଙ୍କ ଭଳି ନୂଆ ଚେହେରାଙ୍କୁ ପ୍ରଥମ ଥର ପାଇଁ ଜାତୀୟ ଦଳରେ ସୁଯୋଗ ଦିଆଯାଇଛି।
ଦିନିକିଆ ସିରିଜ୍ରେ ଫେରିବେ ସିନିୟର ଖେଳାଳି
ଟେଷ୍ଟ ମ୍ୟାଚ୍ ପରେ ଜୁନ୍ ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ। ଏହି ସିରିଜ୍ ପାଇଁ ବିସିସିଆଇ ସ୍କ୍ୱାଡ୍ ଘୋଷଣା କରିସାରିଛି, ଯେଉଁଥିରେ ରୋହିତ ଶର୍ମା ଏବଂ ବିରାଟ କୋହଲି ସାମିଲ ଅଛନ୍ତି। ତେବେ ରୋହିତ ଶର୍ମା ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଖେଳିବା ସେମାନଙ୍କ ଫିଟନେସ୍ ଉପରେ ନିର୍ଭର କରିବ ବୋଲି ବୋର୍ଡ ସ୍ପଷ୍ଟ କରିଛି। ଆଫଗାନିସ୍ତାନ ସିରିଜ୍ ଶେଷ ହେବା ସଙ୍ଗେ ସଙ୍ଗେ ଭାରତୀୟ ଦଳ ଆୟରଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ୨ଟି ଟି-୨୦ ମ୍ୟାଚ୍ ଖେଳାଯିବ।
ଜୁନ୍ ୬-୧୦ - ଭାରତ ବନାମ ଆଫଗାନିସ୍ତାନ ଟେଷ୍ଟ୍ (ନ୍ୟୁ ଚଣ୍ଡିଗଡ଼)
ଜୁନ୍ ୧୩ - ଭାରତ ବନାମ ଆଫଗାନିସ୍ତାନ ପ୍ରଥମ ଦିନିକିଆ (ଧର୍ମଶାଳା)
ଜୁନ୍ ୧୭ - ଭାରତ ବନାମ ଆଫଗାନିସ୍ତାନ ଦ୍ୱିତୀୟ ଦିନିକିଆ (ଲକ୍ଷ୍ନୌ)
ଜୁନ୍ ୨୦ - ଭାରତ ବନାମ ଆଫଗାନିସ୍ତାନ ତୃତୀୟ ଦିନିକିଆ (ଚେନ୍ନାଇ)
ଜୁନ୍ ୨୬ - ଆୟରଲାଣ୍ଡ ବନାମ ଭାରତ ପ୍ରଥମ ଟି୨୦ (ବେଲଫାଷ୍ଟ)
ଜୁନ୍ ୨୮ - ଆୟରଲାଣ୍ଡ ବନାମ ଭାରତ ଦ୍ୱିତୀୟ ଟି୨୦ (ବେଲଫାଷ୍ଟ)