ବେଙ୍ଗାଲୁରୁ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଚଳିତ ଆଇପିଏଲ୍ ୨୦୨୬ରେ ଚମତ୍କାର ପ୍ରଦର୍ଶନ କରି କ୍ରମାଗତ ଦ୍ୱିତୀୟ ଥର ପାଇଁ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଛି। ରବିବାର ଖେଳାଯାଇଥିବା ରୋମାଞ୍ଚକର ଫାଇନାଲ୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସକୁ ୫ ୱିକେଟ୍ରେ ପରାସ୍ତ କରି ଦଳ ଟ୍ରଫି ହାତେଇଛି। ଆରସିବିର ଏହି ସେଲିବ୍ରେସନକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଥିବା ବେଳେ, ଦଳର ବିଜୟ ଶୋଭାଯାତ୍ରା ବା ‘ଭିକ୍ଟ୍ରି ପରେଡ୍’କୁ ନେଇ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି।
ଏଥର ରାସ୍ତାକୁ ଓହ୍ଲାଇବେନି ଖେଳାଳି, ଘରେ ଉତ୍ସବ ମନାଇବାକୁ ନିର୍ଦ୍ଦେଶ
ନ୍ୟୁଜ୍ ଏଜେନ୍ସି ‘ପିଟିଆଇ’ର ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ବେଙ୍ଗାଲୁରୁ ସହରରେ ଆରସିବି ଦଳ ପକ୍ଷରୁ କୌଣସି ବିଜୟ ଶୋଭାଯାତ୍ରା କରାଯିବ ନାହିଁ। ପ୍ରଶାସନ ପକ୍ଷରୁ ସୁରକ୍ଷା ଦୃଷ୍ଟିରୁ ଏହା ଉପରେ ରୋକ୍ ଲଗାଯାଇଛି। ପ୍ରଶଂସକମାନଙ୍କୁ ବାହାରକୁ ନଆସି ନିଜ ନିଜ ଘର ଭିତରେ ହିଁ ଦଳର ବିଜୟ ଉତ୍ସବ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।
ଗତବର୍ଷର ଦୁଃଖଦ ଦୁର୍ଘଟଣା ସାଜିଲା ମୁଖ୍ୟ କାରଣ
୨୦୨୫ ମସିହାରେ ଯେତେବେଳେ ଆରସିବି ପ୍ରଥମ ଥର ପାଇଁ ଆଇପିଏଲ୍ ଟ୍ରଫି ଜିତିଥିଲା, ସେତେବେଳେ ବେଙ୍ଗାଲୁରୁ ରାସ୍ତାରେ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ଭିଡ଼ ଜମିଥିଲା। ସେହି ବିଜୟ ଶୋଭାଯାତ୍ରା ସମୟରେ ହଠାତ୍ ଅଣାୟତ୍ତ ଭିଡ଼ ଯୋଗୁଁ ଦଳାଚକଟାହୋଇଥିଲା, ଯେଉଁଥିରେ ୧୧ ଜଣ ପ୍ରଶଂସକଙ୍କ ଜୀବନ ଯାଇଥିଲା ଏବଂ ଅନେକ ଗୁରୁତର ଆହତ ହୋଇଥିଲେ। ଗତବର୍ଷର ସେହି ଭୟାବହ ଦୁର୍ଘଟଣାରୁ ଶିକ୍ଷା ନେଇ ଚଳିତ ବର୍ଷ ପୋଲିସ ଓ ପ୍ରଶାସନ କୌଣସି ପ୍ରକାରର ବିପଦ ନେବାକୁ ଚାହୁଁନାହାନ୍ତି।
ମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ବଢ଼ିଲା ସମସ୍ୟା
ଭିକ୍ଟ୍ରି ପରେଡ୍ ବାତିଲ ହେବା ପଛରେ କେବଳ ଗତବର୍ଷର ଦୁର୍ଘଟଣା ନୁହେଁ, ବରଂ ରାଜ୍ୟର ସାମ୍ପ୍ରତିକ ରାଜନୈତିକ ସ୍ଥିତି ମଧ୍ୟ ଜଡ଼ିତ ରହିଛି। କର୍ଣ୍ଣାଟକର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କ ଶପଥ ଗ୍ରହଣ ସମାରୋହ ‘ଲୋକ ଭବନ’ରେ ଆୟୋଜିତ ହେବାକୁ ଯାଉଛି। ରାଜ୍ୟପାଳଙ୍କ ବାସଭବନ ଏବଂ ଏହି ଭେନ୍ୟୁଟି ଚିନ୍ନାସ୍ୱାମୀ ଷ୍ଟାଡିୟମର ବହୁତ ନିକଟରେ ଅବସ୍ଥିତ।
ଶପଥ ଗ୍ରହଣ ଉତ୍ସବ ପାଇଁ ସାରା ରାଜ୍ୟରୁ ହଜାର ହଜାର ସମର୍ଥକ ଓ ବହୁ ବିଶିଷ୍ଟ ବ୍ୟକ୍ତି ସହରକୁ ଆସିବେ। ଏହି ହାଇ-ପ୍ରୋଫାଇଲ୍ କାର୍ଯ୍ୟକ୍ରମ ପାଇଁ ବହୁ ସଂଖ୍ୟାରେ ପୋଲିସ ଫୋର୍ସ ମୁତୟନ ହେବାକୁ ଥିବାରୁ, କ୍ରିକେଟ୍ ସେଲିବ୍ରେସନ ପାଇଁ ଅଲଗା ସୁରକ୍ଷା ଯୋଗାଇବା ପୋଲିସ ବିଭାଗ ପାଇଁ ସମ୍ଭବ ନୁହେଁ।
ଆରସିବି ସୂତ୍ରରୁ ସୂଚନା ବେଙ୍ଗାଲୁରୁ ସହରରେ ସର୍ବସାଧାରଣରେ କୌଣସି ବଡ଼ ଧରଣର ଜଶ୍ନ ମନାଇବାର ସମ୍ଭାବନା ନାହିଁ। ପ୍ରଶାସନ ପକ୍ଷରୁ କିଛି ନିୟମାବଳୀ ଜାରି କରାଯାଇଛି ଏବଂ ଆମକୁ ସେହି ଗାଇଡ୍ଲାଇନ୍ ମାନିବାକୁ ପଡ଼ିବ।