ଅହମ୍ମଦାବାଦ: ଆଇପିଏଲ୍ ୨୦୨୬ ଫାଇନାଲରେ ଗୁଜରାଟ ଟାଇଟନ୍ସକୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ୫ ୱିକେଟରେ ପରାସ୍ତ କରି ଲଗାତାର ଦ୍ୱିତୀୟ ଥର ପାଇଁ ଆଇପିଏଲ୍ ଟ୍ରଫି ଜିତିଛି। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆରସିବିର ଐତିହାସିକ ଟାଇଟଲ୍ ବିଜୟର ଉତ୍ସବ ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯାହା ଲକ୍ଷ ଲକ୍ଷ କ୍ରିକେଟ୍ ପ୍ରଶଂସକଙ୍କ ହୃଦୟ ଜିତିଛି। ମ୍ୟାଚ୍ ପରେ ଆରସିବିର କିମ୍ବଦନ୍ତୀ ବ୍ୟାଟସମ୍ୟାନ୍ ବିରାଟ କୋହଲି ସିଜିନର ସବୁଠାରୁ ବଡ଼ ଷ୍ଟାର ଏବଂ ରାଜସ୍ଥାନ ରୟାଲ୍ସର ୧୫ ବର୍ଷୀୟ ସେନସେସନ୍, ବୈଭବ ସୂର୍ଯ୍ୟବଂଶୀଙ୍କ ସହ କଥାବାର୍ତ୍ତା କରୁଥିବା ଏବଂ ତାଙ୍କୁ କିଛି ପରାମର୍ଶ ଦେଉଥିବାର ଦେଖାଯାଇଥିଲା।
ଆରସିବିର ଟାଇଟଲ୍ ବିଜୟର ଉତ୍ସବ ମଧ୍ୟରେ ରାଜସ୍ଥାନ ରୟାଲ୍ସର ଷ୍ଟାର ବ୍ୟାଟସମ୍ୟାନ୍ ବୈଭବ ସୂର୍ଯ୍ୟବଂଶୀ ମଧ୍ୟ ବଡ଼ ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମରେ ଥିଲେ। ମ୍ୟାଚ୍ ପରେ ଉପସ୍ଥାପନାର ଠିକ୍ ପୂର୍ବରୁ ବିରାଟ କୋହଲି ଏବଂ ବୈଭବ ସୂର୍ଯ୍ୟବଂଶୀଙ୍କ ମଧ୍ୟରେ ଏକ ସୁନ୍ଦର ମୁହୂର୍ତ୍ତ କ୍ୟାମେରାରେ କଏଦ ହୋଇଥିଲା। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ବିରାଟ କୋହଲି ବୈଭବ ସୂର୍ଯ୍ୟବଂଶୀଙ୍କ ପିଠି ଥାପୁଡ଼ାଉଥିବା ଏବଂ ତାଙ୍କୁ ଅଭିନନ୍ଦନ ଜଣାଇଥିବାର ଦେଖାଯାଇଛି। କୋହଲି ବହୁ ସମୟ ଧରି ବୈଭବଙ୍କୁ କିଛି ବିଶେଷ ଟିପ୍ସ ଦେଉଥିବାର ଦେଖାଯାଉଛି। ପ୍ରଶଂସକମାନେ ଏହି ଭିଡିଓକୁ ଆଧୁନିକ ରାଜା ଏବଂ ଭବିଷ୍ୟତର ରାଜାଙ୍କ ମଧ୍ୟରେ ସାକ୍ଷାତ ବୋଲି କହୁଛନ୍ତି।
ଗୁଜୁରାଟ ଟାଇଟାନ୍ସ ଦ୍ୱାରା ଧାର୍ଯ୍ୟ ୧୫୬ ରନର ଲକ୍ଷ୍ୟକୁ ପିଛା କରି କିଙ୍ଗ କୋହଲି ଏକାକୀ ଆରସିବିକୁ ଚାମ୍ପିଅନ କରାଇବାରେ ବଡ଼ ଭୂମିକା ତୁଲାଇଥିଲେ। କୋହଲି ପଡ଼ିଆ ଚାରିପାଖରେ ସଟ୍ ଖେଳିଥିଲେ। ମାତ୍ର ୪୨ ବଲ୍ରେ ୯ ଚୌକା ଏବଂ ୩ଟି ଉଚ୍ଚ ଛକା ମାରି ଅପରାଜିତ ୭୫ ରନ କରିଥିଲେ।
ପୁରସ୍କାର ଜିତି ଇତିହାସ ରଚିଲେ ବୈଭବ
ଯଦିଓ ରାଜସ୍ଥାନ ରୟାଲ୍ସ ଦଳ କ୍ୱାଲିଫାୟର-୨ ରେ ବାଦ ପଡ଼ିଥିଲା, ଏହି ସିଜନ୍ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ପାଇଁ ଚମତ୍କାରଠାରୁ କମ୍ ନଥିଲା। ସେ ବିଶ୍ୱର ପ୍ରମୁଖ ବୋଲରମାନଙ୍କୁ ପଛରେ ପକାଇ ଏବଂ ଏକାକୀ ସିଜନ୍ର ପାଞ୍ଚଟି ଶ୍ରେଷ୍ଠ ପୁରସ୍କାର ଜିତି ଏହି ଆଇପିଏଲ୍ ସିଜନ୍ରେ ଇତିହାସ ରଚିଥିଲେ।
- ଅରେଞ୍ଜ କ୍ୟାପ୍: ୭୭୬ ରନ ସହିତ ସିଜନ୍ରେ ସର୍ବାଧିକ ରନ ସ୍କୋରର୍
- ସର୍ବାଧିକ ମୂଲ୍ୟବାନ ଖେଳାଳି: ସମଗ୍ର ସିଜନ୍ ର ସବୁଠାରୁ ମୂଲ୍ୟବାନ ଏବଂ ଉତ୍କୃଷ୍ଟ ଖେଳାଳି
- ଉଦୀୟମାନ ଖେଳାଳି ଅଫ୍ ଦି ସିଜନ୍: ବର୍ଷର ଶ୍ରେଷ୍ଠ ଉଦୀୟମାନ ଖେଳାଳି
- ସୁପର ଷ୍ଟ୍ରାଇକର ଅଫ୍ ଦି ସିଜନ୍: ସମଗ୍ର ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ଷ୍ଟ୍ରାଇକ୍ ହାର
- ସିଜିନର ସୁପର ସିକ୍ସ: ସିଜିନରେ ସର୍ବାଧିକ ଛକା ମାରିଥିବା ବ୍ୟାଟ୍ସମ୍ୟାନ୍
ଅଧିକ ପଢ଼ନ୍ତୁ: ଫାଇନାଲରେ ଗୁଜରାଟକୁ ହରାଇ ଜିତିଲା ଦ୍ଵିତୀୟ ଟାଇଟଲ