ଭୁବନେଶ୍ୱର: ଦେଖୁ ଦେଖୁ ହୁ ହୁ ହୋଇ ଜଳିଗଲା ୧୦୮ଆମ୍ବୁଲାନ୍ସ। ଏହି ଘଟଣା ଘଟିଛି ଆଜି ଭୋର ସମୟରେ ଭୁବନେଶ୍ୱରର ଖଣ୍ଡଗିରି ନିକଟ ଜାଗମରା ଅଞ୍ଚଳରେ। ସୌଭାଗ୍ୟବଶତଃ ଆମ୍ବୁଲାନ୍ସରେ ସେତେବେଳେ କୌଣସି ରୋଗୀ ନଥିବାରୁ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି।
ସୂଚନା ଅନୁସାରେ, ଆମ୍ବୁଲାନ୍ସଟି କଟକରୁ ଜଣେ ରୋଗୀଙ୍କୁ ଛାଡ଼ି ଭୋର ପ୍ରାୟ ସାଢେ ୪ଟା ବେଳେ ଜାଗମରା ସ୍ଥିତ ବେସ୍କୁ ଫେରିଥିଲା। ରୋଗୀଙ୍କୁ ସୁରକ୍ଷିତ ଭାବେ ଛାଡ଼ି ଆସିବା ପରେ ଡ୍ରାଇଭର ଓ ସହଯୋଗୀ କର୍ମଚାରୀ ଗାଡ଼ି ବାହାରେ ଥିବା ନିଜ ରୁମ୍କୁ ବିଶ୍ରାମ ପାଇଁ ଯାଇଥିଲେ। ମାତ୍ର କିଛି ସମୟ ପରେ, ସକାଳ ପ୍ରାୟ ୬ଟା ବେଳେ ପାର୍କିଂରେ ରଖାଯାଇଥିବା ଆମ୍ବୁଲାନ୍ସର ଆଗ ଭାଗରୁ ହଠାତ୍ ନିଆଁ ବାହାରିଥିଲା।
ସର୍ବପ୍ରଥମେ ସ୍ଥାନୀୟ ଲୋକ ଓ ଭୁବନେଶ୍ୱର ମହାନଗର ନିଗମର ଜଣେ ସଫେଇ କର୍ମଚାରୀ ନିଆଁ ଲାଗିଥିବା ଦେଖିଥିଲେ। ଖବର ପାଇ ତମାଣ୍ଡୋ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଫୋମ୍ ବ୍ୟବହାର କରି ନିଆଁକୁ ଆୟତ୍ତ କରିଥିଲେ। କିନ୍ତୁ ସେତେବେଳକୁ ଆମ୍ବୁଲାନ୍ସଟି ପ୍ରାୟ ସମ୍ପୂର୍ଣ୍ଣ ଭାବେ ଜଳିପୋଡ଼ି ନଷ୍ଟ ହୋଇଯାଇଥିଲା।
ଘଟଣା ସମୟରେ ଆମ୍ବୁଲାନ୍ସ ନିକଟରେ ଅନ୍ୟାନ୍ୟ କାର୍ ଓ ଗାଡ଼ି ମଧ୍ୟ ପାର୍କିଂ କରାଯାଇଥିଲା। ନିଆଁ ବ୍ୟାପିବା ପୂର୍ବରୁ ଗାଡ଼ି ମାଲିକମାନେ ସେଗୁଡ଼ିକୁ ସୁରକ୍ଷିତ ସ୍ଥାନକୁ ନେଇଯିବାରୁ ଏକ ବଡ଼ ବିପର୍ଯ୍ୟୟ ଟଳିଯାଇଥିଲା।
ଆମ୍ବୁଲାନ୍ସ ଚାଳକ ଆନନ୍ଦ କୁମାର ଛୋଟରାୟଙ୍କ କହିବା ଅନୁସାରେ, ଗାଡ଼ିଟିରେ ପୂର୍ବରୁ ବ୍ୟାଟେରି ଓ ଇଞ୍ଜିନ ସମ୍ବନ୍ଧୀୟ କିଛି ଯାନ୍ତ୍ରିକ ସମସ୍ୟା ରହିଥିଲା। ତେଣୁ ସର୍ଟ ସର୍କିଟ କିମ୍ବା କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି। ଏହି ଘଟଣା ପୁଣିଥରେ ଆପାତକାଳୀନ ସେବା ଯାନଗୁଡ଼ିକର ନିୟମିତ ଯାନ୍ତ୍ରିକ ଯାଞ୍ଚର ଆବଶ୍ୟକତାକୁ ସାମ୍ନାକୁ ଆଣିଛି।
ଅନ୍ୟପଟେ ଆଜି କଟକର ପ୍ରେସଛକରେ ଭୋର ପ୍ରାୟ ୩ଟା ବେଳେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଏହାର ଶିଖା ଓଭରବ୍ରିଜ ଉପର ପର୍ଯ୍ୟନ୍ତ ଦେଖାଯାଇଥିଲା। ଏହି ଅଗ୍ନିକାଣ୍ଡରେ ପ୍ରାୟ ୩୦ରୁ ଅଧିକ ଦୋକାନ ଜଳିପୋଡ଼ି ଛାରଖାର ହୋଇଯାଇଛି। ନିକଟସ୍ଥ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ମଧ୍ୟ ନିଆଁ ବ୍ୟାପିଥିବା ସୂଚନା ମିଳିଛି। ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ଅନୁମାନ କରାଯାଉଛି। ଦିନକରେ ୨ ପ୍ରମୁଖ ସହରରେ ଦୁଇଟି ବଡ଼ ଅଗ୍ନିକାଣ୍ଡ ଘଟଣା ଲୋକଙ୍କ ମନରେ ଭୟ ସୃଷ୍ଟି କରିଥିବା ବେଳେ, ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି।