ଭୁବନେଶ୍ୱର: ଆସନ୍ତା ଜୁନ୍ ୧୨ ତାରିଖରେ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ଓଡ଼ିଶା ସରକାର ଦୁଇ ବର୍ଷ ପୂରଣ କରିବାକୁ ଯାଉଛି। ଏହି ବିଶେଷ ଅବସର ପୂର୍ବରୁ ସରକାରଙ୍କ କାର୍ଯ୍ୟଦକ୍ଷତା, ବିକାଶମୂଳକ ପଦକ୍ଷେପ ଏବଂ ଲୋକକଲ୍ୟାଣ ଯୋଜନାର ସଫଳତାକୁ ନେଇ ହେବ ଏକ ବଡ଼ ଧରଣର ସମୀକ୍ଷା। କାଲିଠାରୁ ବିଭିନ୍ନ ବିଭାଗର ରିପୋର୍ଟ କାର୍ଡ ଯାଞ୍ଚ ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ।
ଗତ ଦୁଇ ବର୍ଷ ମଧ୍ୟରେ ସରକାର ଯେଉଁ ସମସ୍ତ ଘୋଷଣା କରିଥିଲେ, ସେଗୁଡ଼ିକର କାର୍ଯ୍ୟକାରିତା କେତେ ଦୂର ଆଗେଇଛି, କେଉଁ ଯୋଜନା ଲୋକଙ୍କ ପାଖରେ ପହଞ୍ଚିଛି ଏବଂ କେଉଁ ପ୍ରକଳ୍ପ ଆଶା ଅନୁଯାୟୀ ଫଳ ଦେଇଛି, ତାହାର ଟିକନିକ୍ ହିସାବ ନିଆଯିବ। ପ୍ରତ୍ୟେକ ବିଭାଗ ନିଜର ଦୁଇ ବର୍ଷର କାର୍ଯ୍ୟକଳାପ, ବଜେଟ୍ ବ୍ୟୟ, ଯୋଜନା କାର୍ଯ୍ୟାନ୍ବୟନ ଏବଂ ଜନସାଧାରଣଙ୍କ ଉପରେ ପଡ଼ିଥିବା ପ୍ରଭାବ ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିବେ।
ଏହି ସମୀକ୍ଷାକୁ ନେଇ ସଚିବାଳୟଠାରୁ ଆରମ୍ଭ କରି ସମସ୍ତ ବିଭାଗରେ ବ୍ୟସ୍ତତା ବଢ଼ିଯାଇଛି। ଅଧିକାରୀ ଓ ମନ୍ତ୍ରୀମାନେ ଗତ ଦୁଇ ବର୍ଷର ସଫଳତା, ଚ୍ୟାଲେଞ୍ଜ ଓ ଅଗ୍ରଗତିର ତଥ୍ୟ ସଂଗ୍ରହ କରିବାରେ ଲାଗିପଡ଼ିଛନ୍ତି। କେତେ ଲୋକ ଯୋଜନାରୁ ଲାଭ ପାଇଛନ୍ତି, କେଉଁଠି ଅସୁବିଧା ରହିଛି ଏବଂ କେଉଁ କ୍ଷେତ୍ରରେ ସୁଧାରର ଆବଶ୍ୟକତା ରହିଛି, ସେ ସମସ୍ତ ଦିଗକୁ ଗୁରୁତ୍ୱ ଦିଆଯିବ।କିଏ କଲା ଭଲ କାମ, କିଏ ପଛରେ ରହିଲା, ସେନେଇ ଆସନ୍ତାକାଲିଠାରୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟଦକ୍ଷତାର ପରୀକ୍ଷା କରିବେ।
ବିଶେଷ କଥା ହେଉଛି, ଏହି ବୈଠକ କେବଳ ସଫଳତାର ତାଲିକା ଯାଞ୍ଚରେ ସୀମିତ ରହିବ ନାହିଁ। ଲକ୍ଷ୍ୟ ପୂରଣରେ ପଛରେ ପଡ଼ିଥିବା ବିଭାଗ, ବିଳମ୍ବିତ ପ୍ରକଳ୍ପ ଏବଂ ଲୋକଙ୍କ ଅଭିଯୋଗକୁ ମଧ୍ୟ ଗୁରୁତ୍ୱ ଦିଆଯିବ। ଆବଶ୍ୟକ ହେଲେ କିଛି ବିଭାଗକୁ ନୂଆ ଟାର୍ଗେଟ୍ ଦିଆଯିବା ସହ କାର୍ଯ୍ୟଦକ୍ଷତା ବଢ଼ାଇବାକୁ କଡ଼ା ନିର୍ଦ୍ଦେଶ ମଧ୍ୟ ମିଳିପାରେ।
ରାଜନୈତିକ ମହଲରେ ଏହି ମେଗା ରିଭ୍ୟୁକୁ ବେଶ ଗୁରୁତ୍ୱର ସହ ଦେଖାଯାଉଛି। କାରଣ, ଦୁଇ ବର୍ଷ ପୂର୍ତ୍ତି ଅବସରରେ ସରକାର ନିଜର ସଫଳତାର ରିପୋର୍ଟ କାର୍ଡ ଜନତାଙ୍କ ସାମ୍ନାରେ ରଖିବା ସହ ଆଗାମୀ ତିନି ବର୍ଷ ପାଇଁ ବିକାଶର ନୂଆ ରୋଡମ୍ୟାପ ମଧ୍ୟ ଘୋଷଣା କରିପାରନ୍ତି। ତେଣୁ ଏବେ ସମସ୍ତଙ୍କ ନଜର ରହିଛି ମୁଖ୍ୟମନ୍ତ୍ରୀଙ୍କ ଏହି ସମୀକ୍ଷା ବୈଠକ ଉପରେ ରହିଛି, ଯାହା ମୋହନ ସରକାରଙ୍କ ଦୁଇ ବର୍ଷର କାର୍ଯ୍ୟଦକ୍ଷତାର ପ୍ରକୃତ ଚିତ୍ର ସାମ୍ନାକୁ ଆଣିବ।