ପୁରୀ: ଆଗକୁ ଆସୁଥିବା ପବିତ୍ର ସ୍ନାନ ପୂର୍ଣ୍ଣିମା ପାଇଁ କେନ୍ଦ୍ରାଞ୍ଚଳ ଆଇଜି ଡାକ୍ତର ସତ୍ୟଜିତ ନାୟକ ଆଜି ଶ୍ରୀମନ୍ଦିର ଗସ୍ତ କରିଛନ୍ତି । ଆଇଜି ପୁରୀ ସହର ସହିତ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ପୁରୀରେ ସୁରକ୍ଷା, ଟ୍ରାଫିକ୍ ଓ ଭିଡ଼ ପରିଚାଳନା ବ୍ୟବସ୍ଥାର ଏକ ବ୍ୟାପକ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି ।
ଆସନ୍ତା ଜୁନ୍ ୨୯, ୨୦୨୬ ତାରିଖରେ ଶ୍ରୀଜୀଉଙ୍କ ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେବ । ଏହି ଅବସରରେ ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ରହିଛି । ତେଣୁ ଏହା ପୂର୍ବରୁ କେନ୍ଦ୍ରାଞ୍ଚଳ ଆଇଜି ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିଛନ୍ତି । ପୁରୀ ଜିଲ୍ଲା ପୋଲିସ ଅଧୀକ୍ଷକ ପ୍ରତୀକ ସିଂହ ଏବଂ ଅନ୍ୟାନ୍ୟ ବରିଷ୍ଠ ପ୍ରଶାସନିକ ଓ ପୋଲିସ ଅଧିକାରୀଙ୍କ ସହ ଆଇଜି ପ୍ରଥମେ ଶ୍ରୀଜଗନ୍ନାଥ ମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ ଏବଂ ପରେ କ୍ଷେତ୍ର ପରିଦର୍ଶନ ଆରମ୍ଭ କରିଥିଲେ । ଭକ୍ତମାନଙ୍କ ସୁବିଧାକୁ ପ୍ରାଥମିକତା ଦିଆଯାଇଛି । ମନ୍ଦିରର ବିଭିନ୍ନ ଦ୍ୱାର ଦେଇ ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରାଯିବ, ଯାହାଦ୍ୱାରା ପହଣ୍ଡି ବିଜେ ଏବଂ ସ୍ନାନ ବେଦୀରେ ହେଉଥିବା ମହାସ୍ନାନ ନୀତି ସମୟରେ ଭକ୍ତମାନଙ୍କ ଯାତାୟାତ ସୁଚାରୁ ଭାବେ ପରିଚାଳିତ ହୋଇପାରିବ।
ଏହା ସହିତ, ପର୍ଯ୍ୟାପ୍ତ ସଂଖ୍ୟକ ପୋଲିସ ବଳ ମୁତୟନ, ବଡ଼ଦାଣ୍ଡରେ ସ୍ୱତନ୍ତ୍ର ଟ୍ରାଫିକ୍ କରିଡୋର ସୃଷ୍ଟି କରି ଯାତାୟାତ ଜନିତ ବାଧାକୁ ଏଡ଼ାଇବା, ଜରୁରୀକାଳୀନ ଯାନବାହନ ଚଳାଚଳକୁ ସୁନିଶ୍ଚିତ କରିବା ଏବଂ ଶ୍ରୀମନ୍ଦିର ବାହ୍ୟ ପରିସର ସହ ଗୁରୁତ୍ୱପୂର୍ଣ୍ଣ ଛକମାନଙ୍କରେ ୨୪×୭ ସିସିଟିଭି ନଜରଦାରିକୁ ସୁଦୃଢ଼ କରି ଭିଡ଼ର ଘନତା ଉପରେ ନିରନ୍ତର ନଜର ରଖିବା ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଇଛି।
ଗଣମାଧ୍ୟମକୁ ସୂଚନା ଦେଇ ଆଇଜି ଡ଼ଃ ସତ୍ୟଜିତ ନାୟକ କହିଥିଲେ ଯେ, ପୁରୀକୁ ଆସୁଥିବା ଲକ୍ଷାଧିକ ଭକ୍ତଙ୍କ ପାଇଁ ଏକ ସୁରକ୍ଷିତ, ଶୃଙ୍ଖଳିତ ଏବଂ ଆଧ୍ୟାତ୍ମିକ ଭାବେ ସନ୍ତୋଷଜନକ ଅନୁଭୂତି ପ୍ରଦାନ କରିବା ହିଁ ପୋଲିସର ସର୍ବୋଚ୍ଚ ପ୍ରାଥମିକତା। ସେ କହିଥିଲେ ଯେ, ଓଡ଼ିଶା ପୋଲିସ ଶ୍ରୀମନ୍ଦିର ପ୍ରଶାସନ ସହ ଘନିଷ୍ଠ ସମନ୍ୱୟରେ କାର୍ଯ୍ୟ କରୁଛି ଯାହାଦ୍ୱାରା ଜନସାଧାରଣଙ୍କ ସୁରକ୍ଷା ଏବଂ ଭିଡ଼ ନିୟନ୍ତ୍ରଣର ସର୍ବୋଚ୍ଚ ମାନଦଣ୍ଡ ବଜାୟ ରହିପାରିବ। ଉତ୍ସବର ସମସ୍ତ ନୀତିକାନ୍ତି ଓ ବ୍ୟବସ୍ଥା ସୁଚାରୁ ଭାବେ ସମ୍ପନ୍ନ ହେବା ପାଇଁ ସେମାନେ କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କୁ ପୂର୍ଣ୍ଣ ସହଯୋଗ କରିବାକୁ ସମସ୍ତ ଶ୍ରଦ୍ଧାଳୁଙ୍କ ସହଯୋଗ କାମନା କରିଛନ୍ତି ।