କଟକ: ଚାହୁଁ ଚାହୁଁ ସବୁ ଜଳି ପୋଡ଼ି ଛାରଖାର ହୋଇଗଲା । ଅଗ୍ନିର ପ୍ରକୋପରୁ ବର୍ତ୍ତିଲାନି କିଛି । କଟକ ପ୍ରେସ୍ ଛକ ମାଛ ମାର୍କେଟରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଦମକଳ ବାହିନୀର ୮ରୁ ଅଧିକ ଗାଡ଼ି ନିୟୋଜିତ ରହିଛି । ଦୀର୍ଘ ସାତ ଘଣ୍ଟା ପରେ ନିଆଁ କିଛି ମାତ୍ରାରେ ଆୟତ୍ତ ହୋଇପାରିଛି । ସେପଟେ ଲକ୍ଷାଧିକ ଟଙ୍କାର ମାଛ ପୋଡ଼ି ପାଉଁଶ ହେବା ପରେ ଧୈର୍ଯ୍ୟ ହରା ହୋଇପଡ଼ୁଛନ୍ତି ବ୍ୟବସାୟୀ ।
ପ୍ରାଥମିକ ସୂଚନା ଅନୁସାରେ, କଟକ ପ୍ରେସ ଛକ ମାଛ ଗୋଦାମରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ରାତି ପ୍ରାୟ ୨ଟାରୁ ନିଆଁ ଧିରେ ଧିରେ ପାଖରେ ଥିବା ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଶାଖା କୁ ମଧ୍ୟ ବ୍ୟାପିଛି । ଫଳରେ ସମ୍ପୂର୍ଣ୍ଣ ମାଛ ଗୋଦାମ ଜଳିଯିବା ସହ ଘୋରୋଇ ବ୍ୟାଙ୍କର ମଧ୍ୟ କ୍ଷତି ଘଟାଇଛି । ନିଆଁର ତୀବ୍ରତା ଏତେ ଅଧିକ ଥିଲା ଯେ ଆଖ ପାଖର ଅଞ୍ଚଳ ସମ୍ପୂର୍ଣ୍ଣ ଧୂଆଁ ମୟ ହୋଇଯାଇଥିଲା । ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନର ୮ ଟି ଦମକଳ ଗାଡ଼ି ନିୟୋଜିତ ଥିଲା ବେଳେ ପାଖାପାଖି ୫୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ନିୟୋଜିତ ହୋଇଛନ୍ତି ।
ଏହି ନିଆଁରେ ମାଛ ମାର୍କେଟରେ ଥିବା ଲକ୍ଷାଧିକ ଟଙ୍କାର ମାଛ, ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ, ଡିପ୍ ଫ୍ରିଜର୍, କାଗଜ ପତ୍ର, ଟଙ୍କା ଜଳି ଯାଇଥିବା ବେଳେ ପାଖରେ ଥିବା ରଙ୍ଗ ଦୋକାନ ଏବଂ ବ୍ୟାଙ୍କର ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହା ଦ୍ୱାରା ପ୍ରାୟ ୧୭ ଜଣ ବ୍ୟବସାୟୀ ପ୍ରଭାବିତ ହୋଇଛନ୍ତି । ମାଛ ବ୍ୟବସାୟୀଙ୍କର ୫୦ରୁ ୬୦ ଲକ୍ଷ ଟଙ୍କା ନଗଦ କ୍ୟାସ୍ ଜଳି ଯାଇଥିବା କୁହାଯାଉଛି । ଗତକାଲି ରବିବାର ଥିବାରୁ ଭଲ ବ୍ୟବସାୟ ହୋଇଥିଲା । କିନ୍ତୁ କାଳ ରାତିରେ ସବୁ କିଛି ଛାରଖାର ହୋଇଯାଇଛି । ମାଛ ମାର୍କେଟର ଆସବାବ ପତ୍ର, ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ, ଡିପ୍ ଫ୍ରିଜର୍ ଆଉ ବ୍ୟବହାର ଉପଯୋଗୀ ନାହିଁ ।
ତେବେ ଏହି ନିଆଁ କିଭଳି ଲାଗିଲା ତାର ସଠିକ୍ ତଥ୍ୟ ନ ମିଳିଥିଲେ ସୁଦ୍ଧା ମାଛ ମାର୍କେଟ ର ସର୍ଟ ସର୍କିଟ ରୁ ଏହି ଅଗ୍ନି କାଣ୍ଡ ଘଟିଛି ବୋଲି ଅନୁମାନ କରା ଯାଉଚି ।