ଭୁବନେଶ୍ୱର: ଓଡ଼ିଶାରୁ ଖାଲି ହୋଇଥିବା ଗୋଟିଏ ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଆସନ୍ତା ଜୁନ୍ ୧୮ ରେ ରାଜ୍ୟସଭା ଉପନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ । ଏଥିପାଇଁ ଆଜି ରିଟର୍ଣ୍ଣିଂ ଅଫିସର ନିଯୁକ୍ତ ହୋଇଛନ୍ତି ।
ରାଜ୍ୟସଭା ଉପନିର୍ବାଚନ ବିଧାନସଭା ସଚିବ ସତ୍ୟବ୍ରତ ରାଉତଙ୍କୁ ରିଟର୍ଣ୍ଣିଂ ଅଫିସର୍ ଭାବେ ନିଯୁକ୍ତ କରାଯାଇଛି । ଯୁଗ୍ମ ସଚିବ ବିଦ୍ୟାଧର ମାଝୀ ସହାୟକ ରିଟର୍ଣ୍ଣିଂ ଅଫିସର୍ ଦାୟିତ୍ୱ ବହନ କରିବେ । ଏ ନେଇ ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଦେବାଶିଷ ସାମନ୍ତରାୟ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ପରେ ଉକ୍ତ ଆସଟି ଖାଲି ପଡ଼ିଛି । ଆସନ୍ତା ଜୁନ ୧ ତାରିଖରେ ଉପ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ଜୁନ୍ ୮ରେ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି । ସେହିପରି ଜୁନ୍ ୧୧ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଶେଷ ତାରିଖ ରହିଥିବାବେଳେ ଜୁନ୍ ୧୮ ତାରିଖ ସକାଳ ୯ରୁ ଅପରାହ୍ଣ ୪ଟା ମଧ୍ୟରେ ମତଦାନ ଅନୁଷ୍ଠିତ ହେବେ । ସେହିଦିନ ସନ୍ଧ୍ୟା ୫ଟା ମତଦାନ ଗଣତି ହେବ ।
ବିଧାନସଭାରେ ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ବିଜେପି ହିଁ ରାଜ୍ୟସଭା ପାଇଁ ପ୍ରାର୍ଥୀ ଦେବ । ତେବେ ଅତୀତରେ ସୁଜିତ କୁମାର ଓ ମମତା ମହନ୍ତଙ୍କ ସୂତ୍ର ବିଜେପି ଆପଣାଇ ପାରେ ବୋଲି ଚର୍ଚ୍ଚା ହେଉଛି । ସୁଜିତ କୁମାର ଏବଂ ମମତା ମହନ୍ତ ବିଜେଡ଼ିରୁ ଇସ୍ତଫା ଦେବା ପରେ ବିଜେପିରେ ଯୋଗ ଦେଇଥିଲେ । ଆଉ ବିଜେପି ସେହି ଦୁଇ ଜଣଙ୍କୁ ଉପ ନିର୍ବାଚନରେ ପ୍ରାର୍ଥୀ କରିଥିଲା । ତେଣୁ ସେହି ଦୃଷ୍ଟିକୋଣରୁ ପୁଣି ସମାନ ଫର୍ମୁଲା ବିଜେପି ପ୍ରୟୋଗ କରିବା ନେଇ ଅଧିକ ସମ୍ଭାବନା ରହିଛି ।