ବ୍ରହ୍ମପୁର: ପୁଣି ଥରେ ଜନତାଙ୍କ ରକ୍ଷକ ପୋଲିସ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ପୋଲିସର ଥାର୍ଡ ଡିଗ୍ରୀ ନିର୍ଯ୍ୟାତନାରେ ଜଣେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ସୁବୁଳିଆ ଗ୍ରାମର ସୁଶାନ୍ତ ସାହୁ (୩୨) । ପୋଲିସ ମାଡ଼ରେ ତାଙ୍କର ମୃତ୍ୟୁ ହୋଇଥିବା ପତ୍ନୀ କହିଛନ୍ତି ।
ପତ୍ନୀଙ୍କ ଅଭିଯୋଗ ମୁତାବକ, ଗତ ୨୫ ତାରିଖରେ ପଥର ବ୍ଲାଷ୍ଟିଂ ମାମଲାରେ କବିସୂର୍ଯ୍ୟନଗର ଥାନା ପୋଲିସ ସୁଶାନ୍ତଙ୍କୁ ଉଠାଇ ଆଣିଥିଲା । ଦୀର୍ଘ ୭ ଦିନ ଧରି ହେପାଜତରେ ରଖିବା ପରେ ଗତକାଲି ରାତିରେ ପୋଲିସ ଗୁରୁତର ଅବସ୍ଥାରେ ସୁଶାନ୍ତଙ୍କୁ ଘରେ ଛାଡ଼ିଥିଲା । ସୁଶାନ୍ତଙ୍କ ଅବସ୍ଥା ଦେଖି ପରିବାର ଲୋକେ ପ୍ରଥମେ ଆସିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ମାତ୍ର ସ୍ୱାସ୍ଥ୍ୟ ସଙ୍ଗୀନ ହେବାରୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଗରମ ପାଣି ଫିଙ୍ଗିଥିଲା ପୋଲିସ
ସୁଶାନ୍ତ ପତ୍ନୀ କବିସୂର୍ଯ୍ୟନଗର ଥାନାର ଜଣେ ନିର୍ଦ୍ଦିଷ୍ଟ ପୋଲିସ ଅଧିକାରୀଙ୍କ ନାଁରେ ଶାରୀରିକ ନିର୍ୟ୍ୟାତନାରେ ଅଭିଯୋଗ ଆଣିଛନ୍ତି । ଆଇପିଏସ୍ ନୀତିଶ ମିଶ୍ର ତାଙ୍କୁ ପ୍ରବଳ ପିଟିଥିବା ସେ କହିଛନ୍ତି । ପ୍ରବଳ ବାଡ଼େଇବା ସହିତ ଗରମ ପାଣି ଫୋପାଡ଼ି ଥିଲେ ବୋଲି ତାଙ୍କ ପତ୍ନୀ କହିଛନ୍ତି ।
ଅନ୍ୟପକ୍ଷରେ ପ୍ରଶ୍ନ ଉଠୁଛି ପୋଲିସ କାହିଁକି ୨୪ ଘଣ୍ଟା ମଧ୍ୟରେ ତାଙ୍କୁ କୋର୍ଟ ପରୱାର୍ଡ କରିନଥିଲା । ଯଦି ତାଙ୍କର କିଛି ଦୋଷ ନ ଥିଲା ଏତେ ଦିନ ଯାଏ ପୋଲିସ ହେପାଜତରେ କାହିଁକି ରଖାଯାଇ ମାଡ଼ ମରାଯାଇଥିଲା ।
ପୋଲିସ କାହାକୁ ମୃତକଙ୍କ ପରିବାରଙ୍କୁ ଭେଟିବାକୁ ଦେଉ ନାହାଁନ୍ତି । ଏମିତିକି ଗଣମାଧ୍ୟମ ସମ୍ମୁଖରେ କାହାକୁ ପ୍ରତିକ୍ରିୟା ରଖିବାକୁ ଅନୁମତି ମିଳୁ ନାହିଁ । ମୃତ ସୁଶାନ୍ତଙ୍କ ଭାଇଙ୍କୁ ଟାଣି ଟାଣି ନେଇ ପୋଲିସ ଏମକେସିଜି ଫାଣ୍ଡି ଭିତରେ ରଖିଛନ୍ତି ।
ତଦନ୍ତ ନିର୍ଦ୍ଦେଶ ଦେଲେ ଆଇଜି
ଦକ୍ଷିଣାଞ୍ଚଳ ଆଇଜି ନୀତିଶେଖରେ ମାମଲାତୁ ଗୁରୁତର ସହିତ ଗ୍ରହଣ କରିଛନ୍ତି । ତଦନ୍ତ ପାଇଁ ଗଞ୍ଜାମ ଏସପିଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ହରିଶ ଭି ସିଂହ ମାମଲାର ତଦନ୍ତ କରିବେ । ତଦନ୍ତ ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇଜି କହିଛନ୍ତି । ସେପଟେ ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠା ଯିବ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଗଞ୍ଜାମ ଏସପି ଅତିରିକ୍ତ ଏସପି ପ୍ରଶାନ୍ତ ଦାସ କହିଛନ୍ତି ।
ଉଲ୍ଲେଖ ଯୋଗ୍ୟ, ଏହା କେବଳ ଗୋଟିଏ ଘଟଣା ନୁହେଁ । ଗତ ମେ ମାସରେ ତିନୋଟି ସମାନ ଘଟଣା ସାମ୍ନାକୁ ଆସିଛି । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ସାମୁଦ୍ରିକ ଥାନା ଅଧିକାରୀଣୀଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଥିଲା । ଅଭିଯୋଗ କରିବାକୁ ଆସିଥିବା ମା ଏବଂ ପୁଅଙ୍କୁ ନିସ୍ତୁକ ପିଟିଥିଲେ । ସେହିପରି ବାରଙ୍ଗ ଥାନାରେ ନିଖୋଜ ପତ୍ନୀଙ୍କ ଅଭିଯୋଗ କରିବାକୁ ଆସିଥିବା ସ୍ୱାମୀଙ୍କୁ ପୋଲିସ ମାଡ଼ ମାରିଥିଲା । ସେ ଏବେ କଟକ ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି ।