ଭୁବନେଶ୍ୱର: ଦକ୍ଷିଣ ଏସିଆ ସଙ୍କଟ ପରେ ଦେଶର ତୈଳ ସଙ୍କଟ ଦେଖା ଦେଇଛି । ଏହାର ମୁକାବିଲା ପାଇଁ ସରକାରୀ ସ୍ତରରେ ବୈଦ୍ୟୁତିକ ଚାଳିତ ଯାନର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି । ଏଥିପାଇଁ ଆଜି ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି ହୋଇଛି । କେଉଁ କାର୍ଯ୍ୟାଳୟରେ କେତେ ଟଙ୍କା ଯାଏଁ ବିଦ୍ୟୁତ ଚାଳିତ ଗାଡ଼ି କିଣାଯିବ ତାହାର ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି ।
ଅର୍ଥ ବିଭାଗର ନିର୍ଦ୍ଦେଶାବଳୀ ମୁତାବକ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ହାଇକୋର୍ଟ ମୁଖ୍ୟ ବିଚାରପତି ଓ ଅନ୍ୟ ବିଚାରପତି କିମ୍ବା ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଇଭି ଗାଡ଼ି କିଣି ପାରିବେ । ସେହିପରି ମୁଖ୍ୟ ଶାସନ ସଚିବ, ଉନ୍ନୟନ ଆୟୁକ୍ତ, କୃଷି ଉତ୍ପାଦନ ଆୟୁକ୍ତ ଏବଂ ସମ ସାମୟିକ କାର୍ଯ୍ୟାଳୟରେ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଇଭି ଗାଡ଼ି କିଣି ପାରିବେ । ସେହିପରି ଜିଲ୍ଲା ବିଚାରପତି, ଜିଲ୍ଲାପାଳ କିମ୍ବା ଏସପି କାର୍ଯ୍ୟାଳୟରେ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଇଭି ଗାଡ଼ି କିଣି ପାରିବେ ।
ଅର୍ଥ ବିଭାଗର ପୂର୍ବ ଅନୁମତି ପରେ ହିଁ ଇଭି ଯାନ କ୍ରୟ କରାଯିବ । ନିର୍ଦ୍ଧାରିତ ଜୀବନକାଳ ସମାପ୍ତ ହେବା ଏବଂ ବିଦ୍ୟମାନ ଯାନର ନିର୍ଣ୍ଣୟ/ସ୍କ୍ରାପ୍ ହେବା ପରେ ହିଁ ନୂତନ ଇଭି କ୍ରୟ କରାଯିବ। ଟାଟା, ମହିନ୍ଦ୍ରା ଏବଂ ମାରୁତି କମ୍ପାନୀ ଗାଡ଼ି କିଣାଯିବ । ସେହିପରି ଇଭି କ୍ରୟ କରିବା ସମୟରେ "ଗୋଟିଏ ଅଧିକାରୀ ଗୋଟିଏ ଯାନ" ନୀତିକୁ କଡ଼ାକଡ଼ି ପାଳନ କରାଯିବ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯିବ ।