ଭୁବନେଶ୍ୱର: ବର୍ଷ ବର୍ଷ ଧରି ନିଜ ଜମା ଟଙ୍କା ଫେରି ପାଇବା ଆଶାରେ ଅପେକ୍ଷା କରିଥିବା ହଜାର ହଜାର ଚିଟ୍ଫଣ୍ଡ କ୍ଷୁଦ୍ର ଜମାକାରୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର। ରାଜ୍ୟ ସରକାର ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଆଉ ଏକ ସୁଯୋଗ ଦେଇ ଟଙ୍କା ଫେରସ୍ତ ଅବଧିକୁ ଆସନ୍ତା ଅଗଷ୍ଟ ୩୧, ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସବୁଠାରୁ ବଡ଼ କଥା ହେଲା, ଏବେ ଟଙ୍କା ଫେରସ୍ତ ପାଇବା ପାଇଁ ମୂଳ ଜମା ରସିଦ ଦେଖାଇବାର ଆବଶ୍ୟକତା ରହିବ ନାହିଁ।
ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ଏହି ଘୋଷଣା କରାଯାଇଛି। ଚିଟ୍ଫଣ୍ଡ ତଦନ୍ତ କମିଶନଙ୍କ ସୁପାରିଶ ଆଧାରରେ ଟଙ୍କା ଫେରସ୍ତ ପ୍ରକ୍ରିୟାକୁ ଅଧିକ ସରଳ କରାଯାଇଛି। ଅନେକ ଜମାକାରୀ ସମୟକ୍ରମେ ମୂଳ ରସିଦ ହରାଇ ଦେଇଥିବାରୁ ଟଙ୍କା ପାଇବାରେ ସମସ୍ୟା ଭୋଗୁଥିଲେ। ଏବେ ସେମାନେ କେବଳ ବୈଧ ପରିଚୟପତ୍ର ଦେଖାଇ ନିଜର ଦାବି ଉପସ୍ଥାପନ କରିପାରିବେ।
ଅର୍ଥ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି, କୌଣସି ପ୍ରକୃତ କ୍ଷୁଦ୍ର ଜମାକାରୀ ଯେପରି ଟଙ୍କା ଫେରସ୍ତରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଫେରସ୍ତ ପ୍ରକ୍ରିୟାର ଶେଷ ତାରିଖ ୩୧ ମାର୍ଚ୍ଚ ୨୦୨୬ ଧାର୍ଯ୍ୟ ହୋଇଥିଲା। କିନ୍ତୁ ବହୁ ଜମାକାରୀ ଆବଶ୍ୟକ କାଗଜପତ୍ର ନଥିବା କାରଣରୁ ଏହାର ସୁବିଧା ପାଇପାରି ନଥିଲେ।
ସରକାରଙ୍କ ଏହି ନୂଆ ପଦକ୍ଷେପ ହଜାର ହଜାର ପରିବାରଙ୍କ ମନରେ ପୁଣିଥରେ ଆଶାର ସଞ୍ଚାର କରିଛି। ବର୍ଷ ବର୍ଷର ଅପେକ୍ଷା ପରେ ନିଜ କଷ୍ଟ ଉପାର୍ଜିତ ଟଙ୍କା ଫେରି ପାଇବାର ରାସ୍ତା ଏବେ ଅଧିକ ସହଜ ହୋଇଥିବାରୁ ଜମାକାରୀମାନଙ୍କ ମଧ୍ୟରେ ଖୁସିର ଲହରୀ ଦେଖାଦେଇଛି। ଯେଉଁମାନେ ଏପର୍ଯ୍ୟନ୍ତ ଆବେଦନ କରିନାହାନ୍ତି, ସେମାନେ ଅଗଷ୍ଟ ୩୧ ପୂର୍ବରୁ ଆବଶ୍ୟକ ପ୍ରକ୍ରିୟା ପୂରଣ କରିବାକୁ ସରକାର ଅନୁରୋଧ କରିଛନ୍ତି।