ଭୁବନେଶ୍ୱର: ଆସନ୍ତା ଜୁନ ୩ରୁ ପୁରୀରେ ହେବାକୁ ଥିବା ବିଶ୍ୱ ସ୍ତରୀୟ ସମାବେଶ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଜୁନ୍ ୪ ଉଦ୍ଘାଟନୀ ସମାବେଶରେ ମୁଖ୍ୟମନ୍ତ୍ରୀ ଯୋଗଦେବେ । ଏ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।
ବ୍ରିକ୍ସ ସମ୍ମିଳନୀରେ ମୋଟ ୧୧ ଦେଶର ପ୍ରତିନିଧି ଯୋଗ ଦେବେ । ବ୍ରାଜିଲ, ରୁଷିଆ, ଭାରତ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ଚାଇନା, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଏବଂ ୟୁଏଇ ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ବିପର୍ଯ୍ୟୟ ପରିଚାଳନା ଓ ଆଗୁଆ ସତର୍କତା ଉପରେ ହେବ ଉଚ୍ଚ ସ୍ତରୀୟ ଆଲୋଚନା ହେବ ।
ବିପର୍ଯ୍ୟୟର ପ୍ରସ୍ତୁତି, ପରିଚାଳନା ଏବଂ ପ୍ରାରମ୍ଭିକ ସତର୍କ ସୂଚନା ବ୍ୟବସ୍ଥାରେ ଓଡ଼ିଶାର ବିଶ୍ଵସ୍ତରୀୟ ସଫଳତାକୁ ଦୃଷ୍ଟିରେ ରଖି ଓଡ଼ିଶାକୁ ଆୟୋଜନ କରିବାର ସୁଯୋଗ ମିଳିଛି । ବୈଠକରେ ସ୍ଥାୟୀ ଡ଼ିଆରଆର ଅର୍ଥ ପରିଚାଳନା, ଭିତ୍ତିଭୂମି, ପୂର୍ବାନୁମାନ ଆଧାରିତ ପ୍ରତିକ୍ରିୟା ଏବଂ ପାରମ୍ପରିକ ଜ୍ଞାନର ସମନ୍ଵୟ ଭଳି ବିଭିନ୍ନ ବିଷୟ ଉପରେ ଆଲୋଚନା ହେବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।
ଉଲ୍ଲେଖ ଯୋଗ୍ୟ, ଗତ ସପ୍ତାହରେ ପୁରୀ ଏସପି ପ୍ରତୀୟ ସିଂଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ପୋଲିସ ଟିମ୍ ପୁରୀ ତାଜ ହୋଟେଲରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ । ଏହି ସମୟରେ ସମ୍ପୂର୍ଣ୍ଣ ପୁରୀ ସହରକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯିବ । ବ୍ରିକ୍ସ ସମ୍ମିଳନୀରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଏସପି କହିଛନ୍ତି ।