ଅନୁଗୁଳରେ ପୁଣି ଥରେ ଦନ୍ତାହାତୀର ଆତଙ୍କ ଦେଖିବାକୁ ମିଳିଛି। ଗୋଟିଏ ଦିନରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଅସନ୍ତୋଷର ପରିବେଶ ସୃଷ୍ଟି ହୋଇଛି। ବାରମ୍ବାର ଏପରି ଘଟଣା ଘଟୁଥିବାରୁ ମଣିଷ-ହାତୀ ସଂଘର୍ଷର ସ୍ଥାୟୀ ସମାଧାନ ଦାବି କରିଛନ୍ତି ଲୋକେ।
ପ୍ରଥମ ଘଟଣା ଘଟିଛି ଅନୁଗୁଳ ବନାଞ୍ଚଳ ଅଧୀନସ୍ଥ ମୂଷାପାପୁଲି ଗାଁରେ। ସକାଳ ପ୍ରାୟ ସାଢ଼େ ୬ଟା ସମୟରେ ୬୫ ବର୍ଷୀୟ ଗନ୍ଧର୍ବ ସାହୁ ଗାଁ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ ଏକ ଦନ୍ତାହାତୀ ସାମ୍ନାକୁ ଆସିଥିଲା। କିଛି ବୁଝିବା ପୂର୍ବରୁ ହାତୀଟି ତାଙ୍କ ଉପରେ ଆକ୍ରମଣ କରି ଦଳି ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ବନବିଭାଗର ଟିମ୍ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ସେହିପରି ଛେଣ୍ଡିପଦା ବନାଞ୍ଚଳର ନୂଆଗାଁ ଅଞ୍ଚଳରେ ମଧ୍ୟ ଆଉ ଏକ ଦୁଃଖଦ ଘଟଣା ଘଟିଛି। ଜରିପାଳ ଗାଁର ପ୍ରମିଳା ରାଉଳ ନିଜ ଝିଅ ଘରକୁ ଯାଇଥିବା ବେଳେ ନିକଟସ୍ଥ ଅଞ୍ଚଳକୁ ଆମ୍ବ ଘୋଟାଇବା ପାଇଁ ଯାଇଥିଲେ। ସେହି ସମୟରେ ଏକ ଦନ୍ତାହାତୀ ତାଙ୍କୁ ଆକ୍ରମଣ କରି କଚାଡ଼ି ମାରି ଦେଇଥିଲା। ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା।
ଅନୁଗୁଳ ଜିଲ୍ଲାରେ ହାତୀ ଓ ମଣିଷଙ୍କ ମଧ୍ୟରେ ସଂଘର୍ଷ ଦିନକୁ ଦିନ ବଢ଼ିବାରେ ଲାଗିଛି। କେବେ ହାତୀର ଜୀବନ ଯାଉଛି, ତ ଆଉ କେବେ ନିରୀହ ଲୋକଙ୍କ ଜୀବନ ବଳି ପଡ଼ୁଛି। ଏଭଳି ଘଟଣାର ପୁନରାବୃତ୍ତି ରୋକିବା ପାଇଁ ବନବିଭାଗ ଓ ସରକାର ତୁରନ୍ତ ଦୃଢ଼ ପଦକ୍ଷେପ ନେବାକୁ ସାଧାରଣ ଲୋକ ଦାବି କରିଛନ୍ତି।