Global Day of Parents: ଜୁନ୍ ୧ ତାରିଖକୁ ବିଶ୍ୱବ୍ୟାପୀ 'ଗ୍ଲୋବାଲ୍ ଡେ' ଅଫ୍ ପେରେଣ୍ଟସ୍' ଭାବେ ପାଳନ କରାଯାଏ। ଜାତିସଂଘ ସାଧାରଣ ସଭା (UNGA) ୨୦୧୨ ମସିହାରେ ଜୁନ୍ ୧ କୁ ଏହି ବିଶେଷ ଦିବସ ଭାବେ ଘୋଷଣା କରିଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମାଜରେ ବୃଦ୍ଧ ପିତାମାତାଙ୍କ ପ୍ରତି ସମ୍ମାନ ଏବଂ ସେମାନଙ୍କ ଯତ୍ନକୁ ପ୍ରୋତ୍ସାହିତ କରିବା। ବିଶ୍ୱର ଏମିତି ଅନେକ ଦେଶ ଅଛନ୍ତି, ଯେଉଁମାନେ ପିତାମାତାଙ୍କ ସୁରକ୍ଷା ପାଇଁ ଅତ୍ୟନ୍ତ କଠୋର ଆଇନ ପ୍ରଣୟନ କରିଛନ୍ତି।
ପିତାମାତାଙ୍କ ଦେଖାଶୁଣାକୁ ନେଇ ଦୁନିଆର ଅନେକ ଦେଶରେ ଶକ୍ତ ନିୟମ ରହିଛି। ଚୀନ୍ ହେଉ କି ସିଙ୍ଗାପୁର, ଏଠାକାର ଆଇନରେ ପିତାମାତାଙ୍କ ଯତ୍ନ ପାଇଁ ସ୍ୱତନ୍ତ୍ର ପ୍ରାବଧାନ କରାଯାଇଛି। ୨୦୧୩ ମସିହାରେ ପ୍ରଣୟନ କରାଯାଇଥିବା ଚୀନ୍ର ଏକ ନିୟମ ଅନୁଯାୟୀ, ଯଦି ପିଲା ସାବାଳକ ହୋଇସାରିଛି, ତେବେ ତାକୁ ନିଜର ବୃଦ୍ଧ ପିତାମାତାଙ୍କୁ ନିୟମିତ ଭାବେ ଭେଟିବାକୁ ପଡ଼ିବ। ଯଦି ସେ ଏପରି ନକରେ, ତେବେ ପିତାମାତା କୋର୍ଟଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ କରିପାରିବେ। ଏଭଳି ପରିସ୍ଥିତିରେ ନିୟମ ଉଲ୍ଲଂଘନ କରୁଥିବା ପିଲାଙ୍କୁ ଜରିମାନା ଏବଂ ଜେଲ୍ ଦଣ୍ଡ ଉଭୟ ଭୋଗିବାକୁ ପଡ଼ିପାରେ।
ବୃଦ୍ଧାବସ୍ଥାରେ ଏକାକୀପଣର ଶିକାର ହେଉଥିବା ଲୋକଙ୍କ ବଢୁଥିବା ସଂଖ୍ୟାକୁ ଦେଖି ଚୀନ୍ ଏହି ଆଇନ ପ୍ରସ୍ତୁତ କରିଥିଲା। ଏହାର ଉଦ୍ଦେଶ୍ୟ ହେଉଛି ପିଲାମାନେ ଯେପରି ପିତାମାତାଙ୍କ ଆବେଗିକ ଓ ମାନସିକ ଆବଶ୍ୟକତାର ଧ୍ୟାନ ରଖିବେ। କେବଳ ସେତିକି ନୁହେଁ, ଅନ୍ୟ ଦେଶରେ ମଧ୍ୟ ଏଭଳି ଆଇନ ଅଛି ଯେଉଁଥିରେ ପିତାମାତାଙ୍କୁ ଆର୍ଥିକ ସହାୟତା ଦେବା ସହ ସେମାନଙ୍କୁ ନିୟମିତ ଭେଟିବାର ନିୟମ ମଧ୍ୟ ରହିଛି।
ଜାପାନ ଏବଂ ସିଙ୍ଗାପୁରରେ କେମିତି ଅଛି ନିୟମ?
ଚୀନ୍ ତୁଳନାରେ ଜାପାନରେ ନିୟମ ସାମାନ୍ୟ କୋହଳ ରହିଛି। ଏଠାରେ ପରିବାର ଉପରେ ବୃଦ୍ଧମାନଙ୍କ ଯତ୍ନ ନେବା ପାଇଁ ଏକ ନୈତିକ ଦାୟିତ୍ୱ ରହିଛି। ଜାପାନର ସିଭିଲ୍ ଆଇନ କହେ ଯେ, ପରିବାର ସଦସ୍ୟଙ୍କ ଉପରେ ଆବଶ୍ୟକ ସମୟରେ ଆର୍ଥିକ ସହାୟତା ଯୋଗାଇଦେବାର ଦାୟିତ୍ୱ ବଢିଯାଇଥାଏ। ଏଠାରେ ବରିଷ୍ଠ ନାଗରିକଙ୍କ ଦେଖାଶୁଣା ପାଇଁ ସରକାର 'ଲଙ୍ଗ୍ ଟର୍ମ କେୟାର ଇନସ୍ୟୁରାନ୍ସ ସିଷ୍ଟମ' ପ୍ରସ୍ତୁତ କରିଛନ୍ତି। ତେଣୁ ଆଇନଗତ ଚାପ ଅପେକ୍ଷା ସାମାଜିକ ଏବଂ ସରକାରୀ ସହାୟତା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି।
ଅନ୍ୟପଟେ, ପିତାମାତାଙ୍କ ଯତ୍ନ ନେବା ମାମଲାରେ ସିଙ୍ଗାପୁର ବେଶ୍ କଠୋର ଅଟେ। ଏଠାରେ ଥିବା 'ମେଣ୍ଟେନାନସ ଅଫ୍ ପେରେଣ୍ଟସ୍ ଆକ୍ଟ' (1995) ଅନୁଯାୟୀ, ୬୦ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସ୍କ ପିତାମାତା ନିଜ ପିଲାମାନଙ୍କଠାରୁ ଆର୍ଥିକ ସହାୟତା ମାଗିପାରିବେ। ଯଦି ପିଲାମାନେ ସହାୟତା ନକରନ୍ତି, ତେବେ ମାମଲା ସ୍ୱତନ୍ତ୍ର ଟ୍ରିବ୍ୟୁନାଲ୍କୁ ଯାଇପାରେ। କୋର୍ଟ ପିଲାମାନଙ୍କୁ ନିୟମିତ ଟଙ୍କା ପୈଠ କରିବାକୁ ଆଦେଶ ଦେଇପାରିବେ।
ଭାରତରେ କ’ଣ ଅଛି ଆଇନ?
ଭାରତରେ ପିତାମାତାଙ୍କ ଦେଖାଶୁଣା ଏବଂ ସୁରକ୍ଷା ପାଇଁ 'ବରିଷ୍ଠ ନାଗରିକ ଓ ପିତାମାତାଙ୍କ ଭରଣପୋଷଣ ଏବଂ କଲ୍ୟାଣ ଆଇନ, ୨୦୦୭' (Maintenance and Welfare of Parents and Senior Citizens Act 2007) ରହିଛି। ଏହାକୁ ବୃଦ୍ଧ ପିତାମାତା ଏବଂ ବରିଷ୍ଠ ନାଗରିକମାନଙ୍କ ଆର୍ଥିକ, ସାମାଜିକ ଏବଂ ଆଇନଗତ ସୁରକ୍ଷା ପାଇଁ ତିଆରି କରାଯାଇଛି। ଏହି ଆଇନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପିଲାମାନେ କିମ୍ବା ଆଇନଗତ ଉତ୍ତରାଧିକାରୀମାନେ ଯେପରି ନିଜ ପିତାମାତାଙ୍କୁ ଅସହାୟ ଅବସ୍ଥାରେ ଛାଡ଼ି ନଦେବେ।
ଆଇନ କହେ ଯେ, ଯଦି ପିତାମାତା କିମ୍ବା ୬୦ ବର୍ଷରୁ ଅଧିକ ବୟସ୍କ କୌଣସି ବରିଷ୍ଠ ନାଗରିକ ନିଜ ଆୟ କିମ୍ବା ସମ୍ପତ୍ତିରୁ ନିଜର ଗୁଜରାଣ ମେଣ୍ଟାଇ ପାରୁନାହାଁନ୍ତି, ତେବେ ସେ ନିଜ ପିଲାମାନଙ୍କଠାରୁ ଭରଣପୋଷଣ ଦାବି କରିପାରିବେ।
ଏହି ଆଇନ ପାଇଁ ଦାୟିତ୍ୱ ମଧ୍ୟ ସ୍ଥିର କରାଯାଇଛି। ଏହି ଆଇନରେ ନାବାଳକଙ୍କୁ ଛାଡ଼ି "ପିଲା" ଶବ୍ଦ ମଧ୍ୟରେ ପୁଅ, ଝିଅ, ନାତି ଏବଂ ନାତୁଣୀ ସାମିଲ ଅଛନ୍ତି। ଆଇନ ଅନୁଯାୟୀ, ଭରଣପୋଷଣର ମାନେ କେବଳ ପଇସା ଦେବା ନୁହେଁ; ଏଥିରେ ଖାଦ୍ୟ, ପୋଷାକ, ରହିବା ବ୍ୟବସ୍ଥା, ଚିକିତ୍ସା ଏବଂ ଔଷଧ ଭଳି ମୂଳଭୂତ ଆବଶ୍ୟକତା ମଧ୍ୟ ସାମିଲ ରହିଛି।
ଜୁନ୍ ୧ ରେ କାହିଁକି ପାଳନ କରାଯାଏ ଏହି ବିଶେଷ ଦିବସ?
ପିତାମାତାଙ୍କ ନିସ୍ୱାର୍ଥପର ପ୍ରେମ ଏବଂ ସେମାନଙ୍କ ସମର୍ପଣକୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ଜୁନ୍ ୧ ରେ 'ଗ୍ଲୋବାଲ୍ ଡେ' ଅଫ୍ ପେରେଣ୍ଟସ୍' ପାଳନ କରାଯାଏ। ଜାତିସଂଘ ସାଧାରଣ ସଭା ୨୦୧୨ ମସିହାରେ ଏକ ସଂକଳ୍ପ ପାସ୍ କରି ଏହି ଘୋଷଣା କରିଥିଲା, ଯାହା ପରେ ସାରା ବିଶ୍ୱରେ ଏହା ପାଳିତ ହେଉଛି।
ଭାରତ ପାଇଁ ଏହି ଦିବସର ମହତ୍ତ୍ୱ ଆହୁରି ଅଧିକ, କାରଣ ଏଠାରେ ପିତାମାତାଙ୍କୁ ବିଶେଷ ସମ୍ମାନ ଦେବାର ଏକ ସୁଦୀର୍ଘ ପରମ୍ପରା ରହିଛି। "ମାତୃ ଦେବୋ ଭବଃ, ପିତୃ ଦେବୋ ଭବଃ" ର ବାର୍ତ୍ତା ପିତାମାତାଙ୍କୁ ଦେବତା ସହ ତୁଳନା କରିବାର ଶିକ୍ଷା ଦେଇଥାଏ। ଏହି ଭାବନା ଯୋଗୁଁ ଭାରତ ପାଇଁ ଏହି ଦିନଟି ଆହୁରି ଖାସ୍ ହୋଇଯାଏ।